ବରଗଡ଼ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଘଟିଛି ଏକ ଚମକାଇଦେବା ଘଟଣା। ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ଜଣେ ଯୁବକ ହଠାତ୍ ଉତ୍ତେଜିତ ହୋଇ କର୍ତ୍ତବ୍ୟରତ ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଡାକ୍ତର ସୁଦୀପ୍ତ କୁମାର ରାଉତ ଗୁରୁତର ଆହତ ହୋଇଥିବାବେଳେ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା। ଘଟଣା ପରେ ସମଗ୍ର ହସ୍ପିଟାଲ ପରିସରରେ ଆତଙ୍କ ଖେଳିଯାଇଥିଲା।
ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଜଣେ ରୋଗୀଙ୍କ ସମ୍ପର୍କୀୟ ହଠାତ୍ କୌଣସି କଥାକୁ ନେଇ ଉତ୍ତେଜିତ ହୋଇ ଡାକ୍ତର ସୁଦୀପ୍ତ ରାଉତଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କରିଥିଲେ। ହଠାତ୍ ହୋଇଥିବା ଏହି ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିଲେ। ହସ୍ପିଟାଲରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମଗ୍ର ଘଟଣା କଏଦ ହୋଇଛି। ଭିଡିଓରେ ଅଭିଯୁକ୍ତ ଯୁବକ ଷ୍ଟୁଲ୍ ଉଠାଇ ଡାକ୍ତରଙ୍କ ଉପରକୁ ଫିଙ୍ଗୁଥିବା ଦୃଶ୍ୟ ସ୍ପଷ୍ଟ ଭାବେ ନଜରକୁ ଆସିଛି।
ଘଟଣା ପରେ ହସ୍ପିଟାଲ କର୍ମଚାରୀ ଓ ସୁରକ୍ଷାକର୍ମୀମାନେ ତୁରନ୍ତ ଅଭିଯୁକ୍ତଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ଡାକ୍ତର ସୁଦୀପ୍ତ ରାଉତ ମଧ୍ୟ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି। ତେବେ କେଉଁ କାରଣରୁ ଯୁବକ ଏଭଳି ଆକ୍ରମଣ କଲେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ଏହି ଘଟଣାକୁ ନେଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କର୍ତ୍ତବ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣକୁ ସେମାନେ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନର ପଥ ଆପଣାଇବାକୁ ପଡ଼ିପାରେ ବୋଲି ମଧ୍ୟ ଡାକ୍ତର ସଂଘ ପକ୍ଷରୁ ସୂଚନା ମିଳିଛି। ହସ୍ପିଟାଲ ଭଳି ସମ୍ବେଦନଶୀଳ ସ୍ଥାନରେ ଏଭଳି ହିଂସାତ୍ମକ ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ଛିଡ଼ା କରିଛି।