ପୁରୀ : ଆସନ୍ତା ୨୧ତାରିଖରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ l ବୈଠକରେ ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ସମସ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହେବ l ତେବେ ଏହି ବୈଠକ ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ବାଡଗ୍ରାହୀ ଓ ଦଇତାପତି ନିଯୋଗ ସମେତ ପୂଜାପଣ୍ଡା ନିଯୋଗ ସହ ରଥଯାତ୍ରା ନୀତିକାନ୍ତିକୁ ନେଇ ସବିଶେଷ ଆଲୋଚନା କରାଯାଇଥିଲା l ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ତ୍ରୁଟିଶୂନ୍ୟ ରଥଯାତ୍ରା କରିବା ନେଇ ସେବାୟତ ମାନଙ୍କ ସହଯୋଗ ରହିବ ବୋଲି ମତ ପ୍ରକାଶ କରିଥିବାବେଳେ ଚୂଡାନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତ ନେଇ ବିହିତ ପଦକ୍ଷେପ ନିଆଯିବାକୁ ସବିଶେଷ ଆଲୋଚନା ହୋଇଥିବା ସୂଚନା ଦେଇଥିଲେ l
ଆଗାମୀ ଜୁନ ୧୧ତାରିଖ ଦେବସ୍ନାନ ପୂର୍ଣ୍ଣିମା ପଡୁଥିବାବେଳେ ଏହା ପରଠାରୁ ମହାପ୍ରଭୁଙ୍କର ଅଣସର ନୀତି ଅନୁଷ୍ଠିତ ହେବ l ଏହି ଗୁପ୍ତ ନୀତି ପ୍ରାୟ ୧୬ଦିନ ଧରି ଚଳିତ ବର୍ଷ ପଡୁଥିବାରୁ ଶୃଙ୍ଖଳିତ ଭାବେ ଏହି ନୀତିକୁ ସମ୍ପାଦନ କରିବା ସହ ରଥଯାତ୍ରା ଶୃଙ୍ଖଳିତ କରିବା ନେଇ ଶୁକ୍ରବାର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଦଇତାପତି ନିଯୋଗ ସଭାପତି ସହ ସମ୍ପାଦକ ସମେତ ବଲଭଦ୍ର ଓ ସୁଭଦ୍ରାଙ୍କ ଦୁଇ ବାଡ଼ଗ୍ରାହୀ ଉପସ୍ଥିତ ରହିଥିଲେ l ମହାପ୍ରଭୁଙ୍କର ପହଣ୍ଡି ନୀତି ଶୃଙ୍ଖଳିତ କରିବା ସହ ରଥଯାତ୍ରା, ବାହୁଡା଼ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ଭଳି ଗୁରୁତ୍ୱପୂର୍ଣ୍ଣ ଦିନ ମାନଙ୍କରେ ନୀତିକୁ ସୁରୁଖୁରୁରେ କରିବା ନେଇ ସବିଶେଷ ଆଲୋଚନା ହୋଇଥିଲା l ଦଇତାପତି ମାନଙ୍କ ସହ ବୈଠକ ପରେ ପୂଜାପଣ୍ଡା ନିଯୋଗ ସହିତ ମଧ୍ୟ ଶୃଙ୍ଖଳିତ ତଥା ନୀତି ପୂର୍ଣ୍ଣ ଭାବେ ରଥଯାତ୍ରା କରିବା ନେଇ ଆଲୋଚନା ହୋଇଥିବାବେଳେ ସମସ୍ତ ପ୍ରକାର ସହଯୋଗ ସେବାୟତ ମାନଙ୍କ ପକ୍ଷରୁ ଦିଆଯିବ ବୋଲି ସେବାୟତ ମାନେ ପ୍ରତିଶୃତି ପ୍ରଦାନ କରିଥିଲେ l
ଗତବର୍ଷ ଆଡପ ମଣ୍ଡପ ବିଜେ ଦିନ ବଳଭଦ୍ର ମହାପ୍ରଭୁ ଚାର ଉପରେ ପଡିଯିବା ଘଟଣା ଶୃଙ୍ଖଳିତ ରଥଯାତ୍ରା ସମାପନ ନେଇ ପ୍ରଶ୍ନ ଉଠିଥିଲା l ଏଣୁ ନୀତିକାନ୍ତି ଓ ପହଣ୍ଡି ସୁରୁଖୁରୁରେ ଶୃଙ୍ଖଳିତ ଭାବେ କରିବା ନେଇ ଚଳିତ ବର୍ଷ ନୀତି ନିର୍ଘଣ୍ଟ ପୂର୍ବରୁ ଦୁଇ ପ୍ରମୁଖ ନିଯୋଗ ସହିତ ଆଲୋଚନା କରାଯାଇଅଛି l