ଭୁବନେଶ୍ୱର : ଆସନ୍ତା ମେ ୨୨ତାରିଖ ବେଳକୁ ଆରବସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମେ’ ୨୧ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବସାଗର ଏବଂ କର୍ଣ୍ଣାଟକ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ୨୨ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ଆରବସାଗର ଏବଂ କର୍ଣ୍ଣାଟକ ଉପକୂଳରେ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ଲଘୁଚାପ ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ରହିଛି। ଯାହାର ପ୍ରଭାବ ଓଡିଶା ଉପରେ ସାମାନ୍ୟ ପଡିପାରେ ।
ଅନ୍ୟପଟେ ଗତକାଲି ରାଜ୍ୟର କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ ରାୟଗଡା ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇଥିଲା। ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିଥିଲା। ଗତ ଦୁଇଦିନ ହେଲା ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ତାପମାତ୍ରା ସାମାନ୍ୟ କମିଛି । ଅନେକ ସହରରେ ଦିନର ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସିଛି। ସମ୍ବଲପୁରରେ ପାରଦ ୩୯.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଖୋର୍ଦ୍ଧା, ବଲାଙ୍ଗିର, ବରଗଡ ଏବଂ ଟିଟିଲାଗଡରେ ୩୯.୫ଡିଗ୍ରୀ ଲେଖାଏଁ, ନୂଆପଡା, ବୌଦ୍ଧ ଏବଂ ସୁବର୍ଣ୍ଣପୁରରେ ୩୯ଡିଗ୍ରୀ ଲେଖାଏଁ ରହିଛି । ଭୁବନେଶ୍ୱର ୩୮.୪ ଏବଂ କଟକରେ ୩୬.୬ଡିଗ୍ରୀ ସେଲସିୟସ ରହିଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗିର, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିପାରେ । ତେବେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତେଣୁ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ବୌଦ୍ଧ ଜିଲାର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।