ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଉପରେ ଏ ପର୍ଯ୍ୟନ୍ତ ସବୁଠୁ ବଡ ହମଲା କରିଛି । ରୁଷ ସେନା ୟୁକ୍ରେନ ଉପରେ ୨୭୩ଟି ଡ୍ରୋନ ମାଡ କରିଛନ୍ତି । ୟୁକ୍ରେନ ଅଧିକାରୀ କହିଛନ୍ତି, ଏହି ହମଲା ଯୁଦ୍ଧ ଆରମ୍ଭ ହେବା ପରଠୁ ଏ ପର୍ଯ୍ୟନ୍ତର ସବୁଠୁ ବଡ ଏୟାର ଷ୍ଟ୍ରାଇକ । ହମଲା ପରେ ୟୁକ୍ରେନର କିଛି ସହରରେ ଧ୍ୱଂସର ଦୃଶ୍ୟ ସାମ୍ନାକୁ ଆସିଛି ।
ୟୁକ୍ରେନର ବାୟୁସେନା ଅନୁସାରେ, ରୁଷ ଅଧିକାଂଶ ହମଲା କିଭର କେନ୍ଦ୍ରୀୟ ଅଞ୍ଚଳ ଓ ଦେଶର ପୂର୍ବ ଭାଗ ଡେନିପ୍ରୋପେତ୍ରୋବ୍ୟସ୍କ ଉପରେ କରିଛି । ଏହା ପୂର୍ବରୁ ୨୦୨୫ ଫେବୃଆରୀରେ ରୁଷ ୨୬୭ ଡ୍ରୋନ ହମଲା କରିଥିଲା । କିନ୍ତୁ ଆଜି ରୁଷ ୟୁକ୍ରେନ ଉପରେ ୨୭୩ ଡ୍ରୋନ ଆକ୍ରମଣ କରି ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି ।
ନିକଟରେ ତୁର୍କୀର ଇସ୍ତାନବୁଲରେ ରୁଷ-ୟୁକ୍ରେନ ମଧ୍ୟରେ ହୋଇଥିବା ଶାନ୍ତି ବାର୍ତ୍ତା ବିଫଳ ରହିଛି । ଦୁଇ ପକ୍ଷ କେବଳ କଏଦୀଙ୍କ ଆଦାନ ପ୍ରଦାନ ଉପରେ ଚୁକ୍ତିନାମା କରିଛନ୍ତି । ମାତ୍ର ଅସ୍ତ୍ରବିରତି ଉପରେ କୌଣସି ସହମତି ହୋଇ ପାରି ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନ୍ସିଙ୍କ ସହ ଆଲୋଚନା କରିବେ ବୋଲି ଘୋଷଣା କରିଛନ୍ତି ।
ଋବିବାର ଭୋର ସକାଳେ ହୋଇଥିବା ହମଲାରେ ୟୁକ୍ରେନର ଜଣେ ୨୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହମଲାରେ ଅନେକ ଆବାସୀୟ କୋଠା କ୍ଷତିଗ୍ରସ୍ତ ହୋଇଛି । । ସେପଟେ ୟୁକ୍ରେନ ୮୮ ଡ୍ରୋନ ମାରି ଖସାଇଥିବା ଦାବି କରିଛି । କିଭ ଓ ଏହାର ଆଖପାଖ ଅଞ୍ଚଳରେ ନଅ ଘଣ୍ଟା ପାଇଁ ଚେତାବନୀ ଜାରି କରାଯାଇଛି ।