ପୁରୀ : ପୁରୀ ଆସିଥିଲା ପାକିସ୍ତାନୀ ସ୍ପାଏ ଜ୍ୟୋତି । ଜଗନ୍ନାଥ ମନ୍ଦିର ସହ ପୁରୀ ବୁଲି ଭିଡିଓ ବନାଇଥିଲା ଜ୍ୟୋତି ମଲହୋତ୍ରା । ଶନିବାର ତାଙ୍କୁ ଗିରଫ କରାଯିବା ପରେ ପୁରୀ ବିଷୟରେ କିଛି ତଥ୍ୟ ଶେୟାର କରିଥିବା ଅନୁମାନ କରାଯାଉଛି। ଏନେଇ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ବିଶେଷ ସୂତ୍ରରୁ ଜଣାପଡିଛି ଯେ ପୁରୀ କାଳିକାଦେବୀ ସାହିର ଜଣେ ଯୁବତୀ ଜ୍ୟୋତିଙ୍କ ସମ୍ପର୍କରେ ଥିଲେ। ଜ୍ୟୋତିଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା। ଉଭୟ ସାଙ୍ଗ ହୋଇ ପାକିସ୍ତାନ କର୍ତ୍ତାରପୁର କରିଡର ଯାଇଥିଲେ। ଏହା ଜଣାପଡ଼ିବା ପରେ ଉକ୍ତ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା ହୋଇଛନ୍ତି ।
ସୂଚନା ଅନୁଯାୟୀ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା ୭ ମାସ ତଳେ ଅର୍ଥାତ ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ । ପୁରୀ ଆସି ବାହାରୁ ଜଗନ୍ନାଥ ମନ୍ଦିରର ଭିଡିଓ ବନାଇଥିଲେ । ଏହାସହ ସମୁଦ୍ରକୂଳ ଓ ସହରର ମଧ୍ୟ ଭିଡିଓ କରି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଜ୍ୟୋତି ମଲହୋତ୍ରାଙ୍କର ୟୁଟ୍ୟୁବରେ ୩୭୭ ହଜାର ସବସ୍କ୍ରାଇବର ଏବଂ ଇନଷ୍ଟାଗ୍ରାମରେ ୧୩୨ ହଜାର ଫଲୋଅର ଅଛନ୍ତି।
ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜ୍ୟୋତି ମଲହୋତ୍ରା ଜଣେ ଟ୍ରାଭେଲ ବ୍ଲଗର ଏବଂ ସେ କମିଶନ ଏଜେଣ୍ଟଙ୍କ ମାଧ୍ୟମରେ ୨୦୨୩ରେ ପାକିସ୍ତାନ ଯାଇଥିଲେ । ଏହି ଯାତ୍ରା ସମୟରେ ନୂଆ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ ସଦସ୍ୟ ଏହସାନ ଉର ରହିମ ସହ ତାଙ୍କର ଘନିଷ୍ଠତା ବଢିଥିଲା । ଏହସାନ ଉର ରହିମ ହିଁ ଜ୍ୟୋତିଙ୍କୁ ପାକିସ୍ତାନର ଅନେକ ଇଣ୍ଟେଲିଜେନ୍ସ ଅପରେଟିଭଙ୍କ ସହ ଭେଟ କରାଇଥିଲା । ପରେ ଭାରତର ସମ୍ବେଦନଶୀଳ ସୂଚନା ସବୁ ପାକିସ୍ତାନକୁ ପ୍ରଦାନ କରୁଥିଲେ ଜ୍ୟୋତି । ଏଥିସହ ସୋସିଆଲ ମିଡିଆରେ ପାକିସ୍ତାନର ସକରାତ୍ମକ ଛବି ବନାଇ ରଖିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିଲେ । ସେମାନଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଦଫା ଲାଗିଛି । ତେବେ ଅପରେସନ ସିନ୍ଦୂର ଆରମ୍ଭ ହେବା ପରଠାରୁ ଏହି ଗିରଫଦାରୀ ହୋଇଛି ବୋଲି ଜଣାପଡିଛି ।