ନୂଆଦିଲ୍ଲୀ: ପାକିସ୍ତାନ କିଛି ଦିନ ପୂର୍ବେ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଏଇଏମଏଫ)ଠୁ ଏକ ବିଲିୟନ ଡଲାରର ଋଣ ନେଇଥଲା । ଆତଙ୍କବାଦୀଙ୍କୁ ପୃଷ୍ଠପୋଷକତା କରୁଥିବା ପାକିସ୍ତାନକୁ ଲୋନ ଦେବା ନେଇ ଆଇଏମଏଫର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଥିଲା । ଏବେ ଆଇଏମଏଫକୁ ଭୟ ଘାରିଛି ଯେ, ଏପରି ନ ହେଉ ପାକିସ୍ତାନକୁ ଦିଆଯାଇଥିବା ଅର୍ଥ ଡୁବି ନ ଯାଉ । ଏଥିପାଇଁ ଏହି ଅନ୍ତର୍ଜାତୀୟ ସଂସ୍ଥା ବଡ ପଦକ୍ଷେପ ଗ୍ରହଣ କରିଛି ।
ଆଇଏମଏଫ ପାକିସ୍ତାନ ପାଇଁ ନିଜର ପରବର୍ତ୍ତୀ କିସ୍ତି ଜାରି କରିବା ପୂର୍ବରୁ ୧୧ ସର୍ତ୍ତ ଲାଗୁ କରିଛି । ଆଇଏମଏଫ ଭାରତ-ପାକିସ୍ତାନ ଉତ୍ତେଜନାକୁ ଆର୍ଥିକ କାର୍ଯ୍ୟକ୍ରମ ଦୃଷ୍ଟିରୁ ବିପଦ ବୋଲି କହିଛି ।
ପାକିସ୍ତାନ ଉପରେ ଆଇଏମଏଫ ଲଗାଇଥିବା ସର୍ତ୍ତ
ଆଗାମୀ ଆର୍ଥିକ ବର୍ଷ ପାଇଁ ୧୭,୬୦୦ ବିଲିୟନ ଟଙ୍କାର ନୂତନ ବଜେଟ୍ ସଂସଦରୁ ପାରିତ କରିବା ବାଧ୍ୟତାମୂଳକ ।
ବିଦ୍ୟୁତ୍ ବିଲ୍ ବୃଦ୍ଧି କରିବାକୁ ପଡିବ।
ତିନି ବର୍ଷରୁ ଅଧିକ ପୁରୁଣା ବ୍ୟବହୃତ କାର ଆମଦାନୀ ଉପରେ କଟକଣା ହଟାଇବାକୁ ପଡିବ ।
ଚାରୋଟି ସଂଘୀୟ ୟୁନିଟ୍ ଦ୍ୱାରା ନୂତନ କୃଷି ଆୟକର ଆଇନ ଲାଗୁ କରିବା, ଏଥିରେ କରଦାତାଙ୍କ ଚିହ୍ନଟ, ଆୟକର ରିଟର୍ଣ୍ଣ ପ୍ରକ୍ରିୟାକରଣ, ଏସବୁ ଲାଗୁ କରିବାରେ ସୁଧାର ଆଣିବା ।
ଦେଶରେ ଯୋଗାଯୋଗ ଅଭିଯାନକୁ ଆହୁରି ମଜବୁତ କରିବାକୁ ପଡିବ।
ଆଇଏମଏଫ ସୁପାରିଶ ଉପରେ ଆଧାରିତ ସଂସ୍କାରର କାର୍ଯ୍ୟକାରିତାରେ କେତେ ସୁଧାର ହୋଇଛି ଦେଖାଇବାକୁ ପଡିବ ।
୨୦୨୭ ପରେ ଆର୍ଥିକ କ୍ଷେତ୍ର ପାଇଁ ରଣନୀତି ପ୍ରସ୍ତୁତ କରି ସାର୍ବଜନୀନ କରିବାକୁ ପଡିବ।
ଶକ୍ତି କ୍ଷେତ୍ର ସହିତ ଜଡିତ ଚାରୋଟି ଅତିରିକ୍ତ ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି, ଯେଉଁଥିରେ ଶୁଳ୍କ ନିର୍ଦ୍ଧାରଣ, ବଣ୍ଟନ ସଂସ୍କାର ଏବଂ ଆର୍ଥିକ ସ୍ୱଚ୍ଛତା ଅନ୍ତର୍ଭୁକ୍ତ।
ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ଅର୍ଥନୀତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ଲଗାତାର ନିଜର ପ୍ରତିରକ୍ଷା ବଜେଟ୍ ବୃଦ୍ଧି କରିବାରେ ଲାଗିଛି। ପାକିସ୍ତାନର ଆଗାମୀ ପ୍ରତିରକ୍ଷା ବଜେଟ୍ ୨,୪୧୪ ବିଲିୟନ ଟଙ୍କା, ଯାହା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ। ତଥାପି ଶାହବାଜ ସରକାର ଏହି ମାସର ଆରମ୍ଭରେ ୨,୫୦୦ ବିଲିୟନ ଟଙ୍କା (୧୮ ପ୍ରତିଶତ ବୃଦ୍ଧି) ଘୋଷଣା କରିଥିଲେ। ପାକିସ୍ତାନର ଏହି ନିଷ୍ପତ୍ତି ଉପରେ ଆଇଏମଏଫ ଘୋର ଅସନ୍ତୋଷ ପ୍ରକାଶ କରିପାରେ ବୋଲି ଆଶଙ୍କା କରାଯାଉଛି । ଏମିତି ହେଲେ ପାକିସ୍ତାନକୁ ନିଜର ପ୍ରତିରକ୍ଷା ବଜେଟ୍ ବଢାଇବା ମୁସ୍କିଲ ହୋଇଯିବ ।