ନୂଆଦିଲ୍ଲୀ: ସାଉଦି ଆରବ ଗତ ବର୍ଷ ଜାନୁଆରୀରୁ ଏ ପର୍ଯ୍ୟନ୍ତ ୫୦୩୩ ପାକିସ୍ତାନୀ ଭିକାରୀଙ୍କୁ ନିଜ ଦେଶରୁ ବିତାଡିତ କରିଛି । ଏହି ସୂଚନା ପାକିସ୍ତାନ ସଂସଦରେ ଗୃହ ମନ୍ତ୍ରୀ ମୋହସିନ ନକଭି ଦେଇଛନ୍ତି । ସେ କହିଛନ୍ତି, ଏହି ତଥ୍ୟ ଗତ ୧୬ ମାସର । ସାଉଦି ଆରବ ବ୍ୟତୀତ ମାଲେସିଆ, ଇରାକ, ୟୁଏଇ, ଓମାନ ଓ କାତାର ପରି ଦେଶ ମଧ୍ୟ ପାକିସ୍ତାନୀ ଭିକାରୀଙ୍କୁ ନିଜ ଦେଶରୁ ବିଦା କରିଛନ୍ତି । ଏହି ସବୁ ଦେଶ ପାକିସ୍ତାନ ସରକାରଙ୍କୁ ଭିକାରୀଙ୍କୁ ରୋକିବା ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି ।
ପାକ୍ ମନ୍ତ୍ରୀ କହିଛନ୍ତି, ଆରବ, ଇରାକ, ମାଲେସିଆ, ଓମାନ, କାତାର ଓ ୟୁଏଇରୁ ମୋଟ୍ ୫୪୦୨ ଭିକାରୀଙ୍କୁ ପାକିସ୍ତାନକୁ ପଠାଇ ଦିଆଯାଇଛି । ୨୦୨୪ ଜାନୁଆରୀରୁ ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟରୁ ଏହା ଜଣା ପଡିଛି । ଏଥିରୁ ୨୦୨୪ରେ ୪୮୫୦ ଭିକାରୀଙ୍କୁ ଏହି ସବୁ ଦେଶ ବିଦା କରିଥିଲେ । ଆବଶିଷ୍ଟ ୫୫୨ ପାକିସ୍ତାନୀ ଭିକାରୀଙ୍କୁ ଚଳିତ ବର୍ଷ ବିଦା କରାଯାଇଛି । ଭିକାରୀମାନେ ସାଉଦି ଆରବ ଯିବାର କାରଣ, ସେମାନେ ମକ୍କା ମଦିନା ପାଖରେ ବସି ସାରା ଦୁନିଆରୁ ଆସୁଥିବା ମୁସଲିମ ସଂପ୍ରଦାୟର ଲୋକଙ୍କଠୁ ଭିକ୍ଷା ମାରିବା । ଆଉ ଧାର୍ମିକ ଯାତ୍ରାରେ ବାହାରୁଥିବା ଲୋକେ ମଧ୍ୟ ଏମାନଙ୍କୁ ଭିକ ଦେଇଥାନ୍ତି । ଏହି କାରଣରୁ ପାକିସ୍ତାନରୁ ବଡ ସଂଖ୍ୟାରେ ଲୋକେ ଭିକ ମାଗିବା ଉଦ୍ଦେଶ୍ୟରେ ସାଉଦି ପହଞ୍ଚିଥାନ୍ତି । ଏହାକୁ ନେଇ ସାଉଦି ଆରବ କଡା ଆପତ୍ତି ମଧ୍ୟ ପ୍ରକାଶ କରି ସାରିଛି ।
ପାକିସ୍ତାନ ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ପାକିସ୍ତାନରୁ ସିନ୍ଧ ପ୍ରଦେଶରୁ ସର୍ବାଧିକ ଭିକାରୀ ବିଦେଶ ଯାଉଛନ୍ତି । କେବଳ ସିନ୍ଧରୁ ୨୪୨୮ ଭିକାରୀ ସାଉଦି ଆରବ ଯାଇ଼ଛନ୍ତି । ଏହିପରି ପଞ୍ଜାବରୁ ୧୦୯୮ ଓ ଖୈବର ପଖତୁନଖୱାରୁ ୮୧୯ ଓ ବଲୁଚିସ୍ତାନରୁ ୧୧୭ ଭିକାରୀ ସାଉଦି ଯାଇଛନ୍ତି । ତେବେ ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ । କାରଣ ଏବେ ବି ସେଠାରେ ବହୁ ସଂଖ୍ୟାରେ ଭିକାରୀ ଅଛନ୍ତି ।