ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଵର ବଦଳିବାରେ ଲାଗିଛି। ଆମେରିକାର ମଧ୍ୟସ୍ଥତା ହିଁ ଅସ୍ତ୍ରବିରତି ସମ୍ଭବ ହୋଇ ପାରିଥିବା ଟ୍ରମ୍ପ କହିଥିଲେ। ତେବେ ଗୁରୁବାର କାତାରରେ ଆମେରିକାର ସୈନିକଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, "ମୁଁ କହୁନି ଯେ ମୁଁ ଏହା କରିଛି, କିନ୍ତୁ ମୁଁ ନିଶ୍ଚିତ ଭାବରେ ଗତ ସପ୍ତାହରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଛି।
ଟ୍ରମ୍ପ ଦାବି କରିଥିଲେ ଯେ, ପହଲଗାମରେ ଆତଙ୍କୀ ହମଲା ପରେ ଯେବେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କଲା, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢିବାରେ ଲାଗିଥିଲା। ମାତ୍ର ଆମେରିକାର ଉଦ୍ୟମରୁ ମେ ୧୦ରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇ ପାରିଥିଲା। କିନ୍ତୁ ଭାରତ ଟ୍ରମ୍ପଙ୍କ ବୟାନକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ କହିଥିଲା ଯେ, ଭାରତ-ପାକିସ୍ତାନ ମଧ୍ୟରେ ସଂପର୍କ ସଂପୂର୍ଣ୍ଣ ଦ୍ଵିପାକ୍ଷିକ ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ। ଭାରତର ସ୍ପଷ୍ଟ ଆଭିମୁଖ୍ୟ, ପାକିସ୍ତାନ ସହ ଆଲୋଚନା କେବଳ ପିଓକେ ଓ ଆତଙ୍କବାଦ ଉପରେ ହେବ।
ଟ୍ରୁଥ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଆମେରିକାର ମଧ୍ୟସ୍ଥତାରେ ରାତିରେ ଲମ୍ବା ଆଲୋଚନା ପରେ ମୋତେ ଏହି ଘୋଷଣା କରି ଖୁସି ଲାଗୁଛି ଯେ, ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଭାବେ ଓ ତତ୍କାଲ ପ୍ରଭାବରୁ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଦୁଇ ଦେଶ ସାଧାରଣ ଜ୍ଞାନ ଓ ମହାନ ବୁଦ୍ଧିମତା ବ୍ୟବହାର କରିଥିବାରୁ ସେମାନଙ୍କ ଧନ୍ୟବାଦ।
ଟ୍ରମ୍ପଙ୍କ ଏମିତି ଘୋଷଣା ପରେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା କରିଥିଲେ। ବିରୋଧୀ ପ୍ରଶ୍ନ କରିଥିଲେ ଯେ, କଣ ବର୍ତ୍ତମାନର ସରକାର ୧୯୭୨ ସିମଲା ଚୁକ୍ତିର ଉଲ୍ଲଂଘନ କରି ନାହାନ୍ତି କି ? ସିମଲା ଚୁକ୍ତିନାମାରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, କାଶ୍ମୀର ଏକ ଦ୍ଵିପାକ୍ଷିକ ପ୍ରସଙ୍ଗ ଏବଂ ଏଥିରେ ତୃତୀୟ ପକ୍ଷ ଆଦୌ ସାମିଲ ହେବେ ନାହିଁ।
ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି କହିଥିଲେ ଯେ, ଅସ୍ତ୍ରବିରତି ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ଆଲୋଚନା ପରେ ହୋଇଛି। ଏଥିରେ ତୃତୀୟ ପକ୍ଷର ଭୂମିକା ନାହିଁ। ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯେ, ପାକିସ୍ତାନ ସହ କେବଳ ଆଲୋଚନା ପିଓକେ ଓ ଆତଙ୍କବାଦ ପ୍ରସଙ୍ଗରେ ହେବ। କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷ ଆମର ଦରକାର ନାହିଁ।