ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶାନ୍ତି ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଗୁରୁବାର କହିଛନ୍ତି ଯେ ସେ ଭାରତ ସହିତ ଶାନ୍ତି ଆଲୋଚନା କରିବାକୁ ପ୍ରସ୍ତୁତ। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ପାକିସ୍ତାନର ପଞ୍ଜାବର କାମରା ବାୟୁସେନା ଘାଟି ପରିଦର୍ଶନ ସମୟରେ ସରିଫ କହିଛନ୍ତି ଯେ ତାଙ୍କ ଦେଶ ଭାରତ ସହିତ ଶାନ୍ତି ଆଲୋଚନା କରିବାକୁ ପ୍ରସ୍ତୁତ।
ତଥାପି, ସେ ଜୋର ଦେଇ କହିଥିଲେ ଯେ ଶାନ୍ତି ପାଇଁ ସର୍ତ୍ତାବଳୀରେ କାଶ୍ମୀର ସମସ୍ୟା ମଧ୍ୟ ଅନ୍ତର୍ଭୁକ୍ତ। ଶେହବାଜଙ୍କ ସହିତ ଏୟାରବେସରେ ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର, ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ, ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ବାୟୁସେନା ମୁଖ୍ୟ ମାର୍ଶାଲ ଜାହିର ଅହମ୍ମଦ ବାବର ସିଦ୍ଧୁ ମଧ୍ୟ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଗତକାଲି ପାକିସ୍ତାନ ଭାରତକୁ ପାଣି ପାଇଁ ନିବେଦନ କରିଥିଲା ।ପାକିସ୍ତାନ ସରକାର ବୁଧବାର ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ସିନ୍ଧୁ ଜଳ ଚୁକ୍ତିନାମାର ସ୍ଥଗିତ ରଖିବା ଉପରେ ପୁନର୍ବିଚାର କରିବାକୁ ଆବେଦନ କରିଥିଲା । ପାକିସ୍ତାନର ଜଳସମ୍ପଦ ସଚିବ ସୟଦ ଅଲି ମୁର୍ତାଜା ଭାରତକୁ ଲେଖିଥିବା ଚିଠିରେ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବା ଯୋଗୁଁ ପାକିସ୍ତାନରେ ଖରିଫ ଫସଲ ପାଇଁ ଏକ ବଡ଼ ଜଳ ସଙ୍କଟ ଦେଖାଦେଇଛି। ତଥାପି ଏହା ଉପରେ ଭାରତ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।