ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାତା ଆପଲର ଭାରତରେ ନିବେଶ ଯୋଜନା ବଳବତ୍ତର ରହିଛି। କମ୍ପାନୀ ଭାରତକୁ ଆଇଫୋନ୍ର ମ୍ୟାନୁଫେକଚରିଂ ହବ୍ କରିବା ନିଜ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରିନି। ଗୁରୁବାର ସରକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି। କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଘଣ୍ଟା ଆଗରୁ କହିଥିଲେ ଯେ, ଆପଲ୍ ଭାରତରେ ନିବେଶ ନ କରିବା ଦରକାର। ତାଙ୍କର ବୟାନ ପରେ, ଭାରତୀୟ ଅଧିକାରୀମାନେ ଆମେରିକାର କୁପର୍ଟିନୋ ସ୍ଥିତ କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଭାରତ ହେବ ଉତ୍ପାଦନ କେନ୍ଦ୍ର
ଟ୍ରମ୍ପ କହିଥିଲେ, ସେ ଆପଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଟିମ୍ କୁକଙ୍କ ସହ ଆଲୋଚନା କରି ଭାରତରେ ଉତ୍ପାଦନ ହ୍ରାସ କରିବାକୁ ପରାମର୍ଶ ଦେଇଛି। କିନ୍ତୁ ଆପଲ ଭାରତରେ ଏହାର ନିବେଶ ଜାରି ରଖିବ ଏବଂ ଭାରତକୁ ଏହାର ପ୍ରମୁଖ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ତେବେ ସମ୍ପର୍କରେ ଇ-ମେଲ୍ ମାଧ୍ୟମରେ ଆପଲ୍କୁ ପଠାଯାଇଥିବା ପ୍ରଶ୍ନର ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ଏହା ପୂର୍ବରୁ କାତାରରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଥିଲେ ସେ ଭାରତରେ ଆପଲ୍ ଉତ୍ପାଦ ତିଆରି କରିବା ସପକ୍ଷରେ ନୁହଁନ୍ତି। ଏ ବିଷୟରେ ସେ କମ୍ପାନିର ସିଇଓଙ୍କ ସହ କଥା ହୋଇଛନ୍ତି।
ଆମେରିକାର ରାଷ୍ଟ୍ରପତି କହିଥିଲେ, ଆପଣ ଜାଣିଥିବେ ଆମେରିକା ପାଖରେ ଆପଲ୍ ଅଛି ଏବଂ ଗତକାଲି ମୋର କମ୍ପାନି ସିଇଓ ଟିମ୍ କୁକ୍ ସହିତ ମତଭେଦ ହୋଇଥିଲା। ଆପଲ୍ ୫୦୦ ବିଲିୟନ ଡଲାର ଆମେରିକାରେ ନିବେଶ କରିବେ ବୋଲି କହିଥିଲା। କିନ୍ତୁ ଏବେ ମୁଁ ଶୁଣୁଛି କମ୍ପାନିର ନିଜର ସାରା ଉତ୍ପାଦନ ଭାରତରେ କରିବ। ମୁଁ ଚାହୁଁନାହିଁ ଆପଲ୍ ଭାରତରେ ଉତ୍ପାଦନ କରୁ। ଯଦି ତୁମେ ଭାରତର ଯତ୍ନ ନେବାକୁ ଚାହୁଁଛ, ତେବେ ତୁମେ ଭାରତରେ ଉତ୍ପାଦନ କରିପାରିବ।
ଟ୍ରମ୍ପ ଏହା ମଧ୍ୟ କହିଥିଲେ, ଭାରତ ବିଶ୍ୱର ସବୁଠାରୁ ଅଧିକ ଶୁଳ୍କ ଲାଗୁ କରୁଥିବା ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ଏବଂ ଭାରତରେ ସାମଗ୍ରୀ ବିକ୍ରି କରିବା ବହୁତ କଷ୍ଟକର। ଆପଲ୍ ବର୍ଷ ବର୍ଷ ଧରି ଚୀନ୍ରେ ପ୍ଲାଣ୍ଟ ତିଆରି କଲା। ସେସବୁ ଆମେ ବରଦାସ୍ତ କଲୁ। ଏବେ ତୁମକୁ ଆମ ପାଇଁ ଉତ୍ପାଦନ କରିବାକୁ ପଡିବ। ତୁମେ ଭାରତରେ ଉତ୍ପାଦନ କର ସେଥିପାଇଁ ଆମେ ଆଗ୍ରହୀ ନୁହଁ।