ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ରଥ ନିର୍ମାଣର ୧୭ତମ ଦିନ ସୁଦ୍ଧା ମୋଟ ୧୮ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜ, ୨୪ଟି ତିଖ ଗୁଜ, ୯ଟି ଲେଖାଏଁ ୨୭ଟି ଜଳ ଯନ୍ତ୍ର, ୩୨ଟି କୁଡ଼ୁକା, ୧୨ଟି ଓରା ଏବଂ ୪ଟି ଲେଖାଏଁ ପ୍ରଥମ ଭୂଇଁ ଖମ୍ୱୀ ନିର୍ମାଣ ଶେଷ ହୋଇଛି। ଭୋଇ ସେବକମାନେ ଯନ୍ତାଗାଡ଼ଠାରେ ତିନି ରଥର ଗୋଟିଏ ଗୋଟିଏ ତୁମ୍ବରେ ଅର ସଂଯୋଗପୂର୍ବକ ସିଙ୍ଗଡ଼ାବାଡ଼ିଆ କାର୍ଯ୍ୟ ଶେଷ କରି ତିନି ରଥ ଚାଳିକୁ ଯୋଗାଇ ଦେଇଛନ୍ତି।
ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ଅବସରରେ ବିଧି ଓ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସକାଳ ଧୂପ ସରିବା ପରେ ରଥଖଳାକୁ ବିଜେ କରିବ ଆଜ୍ଞାମାଳ । ମହାରଣା ସେବାୟତଙ୍କ ଉପସ୍ଥିତିରେ ଭୋଇ ସେବକମାନେ ତିନି ରଥର ଦୁଇଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ଡେରା ନୀତି ସମ୍ପୂର୍ଣ କରିବେ । ସେହିପରି ପରମ୍ପରା ଅନୁସାରେ ଏହି ଅବସରରେ ନରେନ୍ଦ୍ର ରାତ୍ର ଚାପରେ ମହାପ୍ରଭୁଙ୍କୁ ୨୧ ଘେରା ନୌକା ବିହାର କରିବାର ପରମ୍ପରା ରହିଛି । ପ୍ରଭୁଙ୍କ ନୌକାଗୁଡିକୁ ୭ ଘେରା ଲେଖା ବୁଲା ଯିବାର ବିଧି ରହିଛି ।