ଢେଙ୍କାନାଳର ସ୍ୱତନ୍ତ୍ର ମିଠା ‘ମଗଜି ଲଡୁ’ର ସ୍ୱାଦ ନିଆରା। ଆଉ ଏହି ସ୍ୱାଦିଷ୍ଟ ମିଠା ଏବେ ଜିଆଇ ଟ୍ୟାଗ ମାନ୍ୟତା ପାଇଛି । ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ଏହି ମଗଜି ଲଡୁକୁ ଜିଆଇ ଟ୍ୟାଗ ମିଳିଥିବାରୁ ଥିବାରୁ ଢେଙ୍କାନାଳବାସୀଙ୍କ ଖୁସି କହିଲେ ନ ସରେ। ଏହି ଟ୍ୟାଗ୍ ମିଳିଥିବାରୁ ଢେଙ୍କାନାଳବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହୋଇଛି ।
ମଗଜି ଲଡ଼ୁ ସହ ଢେଙ୍କାନାଳ ଜିଲ୍ଲାବାସୀ ଓତଃପ୍ରୋତ ଭାବେ ଜଡ଼ିତ ଥିବା ବେଳେ ଏବେ ଏହା ଜିଓଗ୍ରାଫିକାଲ ଇଣ୍ଡିକେସନ ବା ଜିଆଇ ଟ୍ୟାଗ ପାଇଥିବାରୁ ନେଇ ଜିଲ୍ଲାବାସୀ ଖୁବ୍ ଖୁସି ଅଛନ୍ତି । ଏଥିପାଇଁ ୨୦୨୦ ମସିହାରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି ପକ୍ଷରୁ ଆବେଦନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜି ଆଇର ଏକ୍ସପର୍ଟ ଟିମ ଦ୍ୱାରା ଏହାର ପ୍ରାଥମିକ ପରୀକ୍ଷଣ ମଧ୍ୟ ଶେଷହୋଇଥିଲା । ସତରେ ମଇଁଷି କ୍ଷୀର ଛେନାରୁ ପ୍ରସ୍ତୁତ ଏହି ମଗଜି ମିଠା ଏତେ ସ୍ୱାଦିଷ୍ଟ ଯିଏ ବି ଏହାକୁ ଥରେ ଖାଇଛି ସିଏ ଏହାର ସ୍ୱାଦରେ ମଜ୍ଜି ଯାଇଛି।
ଢେଙ୍କାନାଳ ଜିଲ୍ଲାର ଏହା ପ୍ରଥମ ଜିନିଷ ଭାବରେ ଜିଆଇ ଟ୍ୟାଗର ମାନ୍ୟତା ପାଇଛି । ଆଉ ଏହି ମଗଜି ଜିଆଇ ଟ୍ୟାଗ ପାଇବା ଦ୍ୱାରା ସମଗ୍ର ଦେଶରେ ଏହାର ଚାହିଦା ବଢ଼ିବା ସହିତ ଏହାକୁ ପ୍ରସ୍ତୁତ କରୁଥିବା ବ୍ୟବସାୟୀ ଓ ମଇଁଷି ପାଳନ କରୁଥିବା ଚାଷୀଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇପାରିବ। ସବୁଠାରୁ ବଡ଼ କଥା ହେଉଛି ଏହା ଦ୍ୱାରା ଢେଙ୍କାନାଳ ମାଟିକୁ ମିଳିବ ସ୍ୱତନ୍ତ୍ର ପରିଚୟ।
ତେବେ ମଗଜୀ ସମେତ ଓଡ଼ିଶାର ଆଉ 6ଟି ଉତ୍ପାଦକୁ GI ଟ୍ୟାଗ୍ ମିଳିଛି | ଏଥିନେଇ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ସାମାଜିକ ଗଣମାଧ୍ୟମ 'X'ରେ ସୂଚନା ଦେଇଛନ୍ତି | ଗଜପତିର ଖଜୁରୀ ଗୁଡ଼, ମୟୂରଭଂଜ କାଇ ଚଟଣୀ, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍, କୋରାପୁଟ କଳାଜିରା ଧାନ , ଲାଞ୍ଜିଆ ସୌରା ଚିତ୍ରକଳାକୁ ବି ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି |