କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ବାଙ୍କେଶ୍ୱର ଗ୍ରାମରେ ସିରିଜ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ରାତିରେ ଗ୍ରାମର ତିନି ଜଣଙ୍କ ଘରୁ ଚୋରି ହୋଇଛି । ଏ ନେଇ ବାଙ୍କେଶ୍ୱର ହରିଜନ ସାହିର ଲକ୍ଷ୍ମୀଧର ମଲିକଙ୍କ ପତ୍ନୀ ଅଞ୍ଜଳି ମଲିକ ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଅଞ୍ଜଳିଙ୍କ ପରିବାର ଲୋକ ଶୋଇଥିବାବେଳେ ଚୋରମାନେ ଘର ଭିତରେ ପ୍ରବେଶ କରିଥିଲେ । ଲୁଟେରାମାନେ ଘରକୁ ବାହାର ପଟୁ ବନ୍ଦ କରି ଦେଇଥିଲେ । ଏହା ପରେ ଘରୁ ଲୁଟ୍ କରିଥିଲେ । ଘରୁ ସୁନା ହାର, ଗୋଟିଏ ସୁନା ଚେନ୍, ୨ ହଳ ସୁନା ବାହୁଟି, ୨ଟି ମଙ୍ଗଳସୂତ୍ର, ୩ ହଳ ସୁନା କାନଫୁଲ, ୫ଟି ସୁନା ମୁଦି, ୯ଟି ସୁନା ନାକ ଫୁଲ ଏବଂ ୩ ହଳ ରୁପା ପାଉଁଜି ଲୁଟି ନେଇଥିବା ଅଞ୍ଜଳୀ ଅଭିଯୋଗ କରିଛନ୍ତି । ଏହା ସହିତ ନଗଦ ୧୦ ହଜାର ଟଙ୍କା ନେଇ ଯାଇଛନ୍ତି । ଗହଣାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି ।
ସେହିପରି ଗ୍ରାମର ଅନ୍ୟ ଜଣଙ୍କ ଘରେ ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି । ସେମାନେ ଚିତ୍କାର କରିବା ପରେ ପଡ଼ୋଶୀ କବାଟ ଖୋଲିଥିଲେ । ଗ୍ରାମର ଅଶୋକ ମଲିକ ଏବଂ ସୁରେଶ ମଲିକଙ୍କ ଘରେ ଲୁଟେରାମାନେ ପଶିଥିବାବେଳେ କିଛି ନ ପାଇ ଫେରିଯାଇଥିବା ଜଣାପଡ଼ିଛି ।
ତେବେ ପୋଲିସ ଗ୍ରାମରେ ପହଁଚି ତଦନ୍ତ ଆରମ୍ଭ କରିଛି ।