କେନ୍ଦୁଝର: ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଗୋନାସିକା କେନ୍ଦୁଝର ମହୋତ୍ସବ ଉଦଯାପିତ ହୋଇଛି। ମହୋତ୍ସବର ଶେଷ ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉତ୍ସବରେ ଯୋଗ ଦେଇ ‘‘ସୁଭଦ୍ରା ଫର୍ ଅଲ୍’’ ଅର୍ଥାତ୍ ସମସ୍ତ ଯୋଗ୍ୟ ହାତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ୍ କରାଯିବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ। ଏଥିସହ, ଶେଷ ସନ୍ଧ୍ୟାରେ ଖୋର୍ଦ୍ଧାର ପାଇକ ଆଖଡା, କଟକର ଲାସ୍ୟା ସାଂସ୍କୃତିକ ଦଳର ନୃତ୍ୟ ସମସ୍ତଙ୍କ ମନ ମୋହିଥିଲା। ଉପମୁଖ୍ୟମନ୍ତ୍ରୀଙ୍କ ସହ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଓ ପାଟଣାର ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ ।
ଗୋନାସିକା ମହୋତ୍ସବର ଉଦଯାପନୀ ସନ୍ଧ୍ୟା ନୃତ୍ୟ, ଗୀତରେ ରଙ୍ଗୀନ୍ ହୋଇ ଉଠିଥିଲା। ସମୟ ବଢିବା ସହିତ ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ବିଶେଷ କରି ୧୮୧୭ ମସିହାର ପାଇକ ବିଦ୍ରୋହକୁ ଉଦଜୀବିତ କରୁଥିବା ଓଡିଆ ପାଇକ ପୁଅର ବୀରତ୍ବର ଗାଥା, ପାଇକ ପୁଅର ବଳିଦାନ ‘‘ଖୋର୍ଦ୍ଧା ପାଇକ ଆଖଡା’’ ଦ୍ବାରା ପ୍ରତିଫଳିତ ହୋଇଥିଲା। ପାଇକ ପୁଅର ତ୍ୟାଗ, ବଳିଦାନର ଦୃଶ୍ୟ ସ୍ବଚକ୍ଷୁରେ ଦେଖି ମନ୍ତ୍ରମୁଗ୍ଧ ହୋଇ ଉଠିଥିଲେ ଦର୍ଶକ। ଶେଷରେ ବଲିଉଡ୍ ଗାୟକ ନକ୍ସାସ୍ ଅଜିଜ୍ ଓ ନନ୍ଦି ସିଷ୍ଟର୍ସଙ୍କ ଗୀତରେ ଝୁମିଥିଲେ ଉପସ୍ଥିତ ଦର୍ଶକ।