ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ପର୍ବ ହେଉଛି ଦଣ୍ଡଯାତ୍ରା । ଏହି ଯାତ୍ରାରେ ମାଁ ଦଣ୍ଡକାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରାଟି ସାଧାରଣତ ୨୧,୧୮,୧୩ କିମ୍ବା ୧୧ ଦିନ ବ୍ୟାପି ଚାଲିଥାଏ । ଏହି ଯାତ୍ରାଟି ଚୈତ୍ର ମାସ ରୁ ଆରମ୍ଭ ହୋଇ ମହା ବିଷୁବ ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ । ଦଣ୍ଡୁଆ ମାନେ ଧୁ ଧୁ ଖରାରେ ମାଁ ଦଣ୍ଡକାଳୀଙ୍କୁ ସାଥିରେ ଧରି ଗାଁ କୁ ଗାଁ ଘର ଘର ବୁଲି ମାନସିକଧାରୀଙ୍କ ଘର ସମ୍ମୁଖ ଦାଣ୍ଡ ଧୂଳିରେ ଯାତ୍ରା କରିଥାନ୍ତି । ଦାଣ୍ଡରେ ଗଡୁଥିବାରୁ ସେମାନଙ୍କୁ ଦଣ୍ଡୁଆ କୁହାଯାଏ । କଥାରେ ଅଛି ପରା ଯେଉଁଠି ବିଶ୍ୱାସ ରହିଛି ସେଇଠି ଭଗବାନ ବାସକରନ୍ତି । ସେହି ବିଶ୍ୱାସ ବଳରେ ଦଣ୍ଡୁଆ ମାନେ ଚୈତ୍ର ମାସର ଖରାରେ ବିଭିନ୍ନ ପ୍ରକାର ଶାରୀରିକ କଷ୍ଟ ସହିତ ବିନା ଭୟରେ ଦଣ୍ଡଯାତ୍ରା କରିଥାନ୍ତି କାହିଁକିନା ସେମାନେ ଭଗବାନଙ୍କ ଶରଣାପନ୍ନ ହୋଇଥାନ୍ତି । ଗବେଷକ ମାନଙ୍କ ମତରେ ଦଣ୍ଡଯାତ୍ରା ପ୍ରାୟ ୧୦୦ ବର୍ଷ ପୁରୁଣା ପରମ୍ପରା । ବିଶ୍ୱାସ କରାଯାଏ ମାଁଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୂର ହୋଇଥାଏ । ୨୧ ଦିନ ଧରି ପାଟ ଭୁକୁତାଙ୍କ ନିର୍ଦ୍ଦେଶ ଅନୁସାରେ ମାଁଙ୍କ ଯାତ୍ରା ପାଳନ ହୋଇଥାଏ । ସକାଳୁ ସକାଳୁ ମାନସିକଧାରୀ ମାନଙ୍କ ଘରେ ମାଁଙ୍କୁ ସାଥିରେ ଧରି ପହଂଚି ମାଁ ଦଣ୍ଡକାଳୀ ଓ ଶିବଙ୍କୁ ବରଣ କରାଯାଏ । ପରେ ମଧ୍ୟାହ୍ନରେ ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ନୀତି ଇତ୍ୟାଦି ସମ୍ପନ୍ନ ହୋଇଥାଏ । ସନ୍ଧ୍ୟାରେ ମାଁଙ୍କ ରିତିନିତି ଅନୁଯାୟୀ ଆଳତି ଓ ପୂଜାର୍ଚ୍ଚନା କରିବା ପରେ ଅଧ ରାତିରେ ମାଁଙ୍କୁ ଅନ୍ନ ପ୍ରସାଦ ଲାଗି କରାଯାଇଥାଏ ଆଉ ରାତିରେ ସାଂସ୍କୃତିକ ନୃତ୍ୟ ପରିବେଶଣ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ସହର ଆଖପାଖ ଅଂଚଳରେ ଥିବା ବିଭିନ୍ନ ଦଣ୍ଡକାଳୀ ମନ୍ଦିରରେ ମାଁଙ୍କ ଯାତ୍ରାର ଶୁଭାରମ୍ଭ ହୋଇଛି । ଛତ୍ରପୁର ବ୍ଲକର ଲଣ୍ଡାବାଉଁଶ, କୁମାରବେଗପଲ୍ଲୀ, ବିପୁଳିଙ୍ଗି ପ୍ରଭୃତି ଅଂଚଳରେ ପାରମ୍ପରିକ ଦଣ୍ଡଯାତ୍ରାର ଶୁଭାରମ୍ଭ ହୋଇଛି । କୋଭିଡ୍ କଟକଣା ଯୋଗୁଁ ଗତ କିଛି ବର୍ଷ ବନ୍ଦ ହୋଇଥିବା ଦଣ୍ଡଯାତ୍ରା ଗତ ବର୍ଷ ଠାରୁ ପୁନର୍ବାର ଆରମ୍ଭ ହେବା ଫଳରେ ଦଣ୍ଡଯାତ୍ରା ପ୍ରେମୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି ।
ସମୟ ବଦଳିବ ସହିତ ଏହି ପରମ୍ପରାରେ ବେଶ୍ କିଛି ପରିବର୍ତ୍ତନ ଆସିଛି ସତ ହେଲେ ବିନା ନିଷ୍ଠା ଓ ବିନା ଭକ୍ତିରେ ଏ କଷ୍ଟସାଧ୍ୟ ଦଣ୍ଡଯାତ୍ରାରେ ସାମିଲ ହେବ ସହଜ କଥା ନୁହଁ । ସାଧନା ହିଁ ସବୁର ମୂଳ, ସାଧନା ବଳରେ ହିଁ ବିଭିନ୍ନ ଶାରୀରିକ କଷ୍ଟକୁ ଦଣ୍ଡୁଆ ମାନେ ସହ୍ୟ କରିପାରନ୍ତି । ଯେଉଁଟି ଦଣ୍ଡନାହିଁ ସେଠି ମୁକ୍ତି ନାହିଁ ଏବଂ ଯେଉଁଠି ଯାତନା ଆଉ ମୁକ୍ତି ପାଇବା ପାଇଁ ସମର୍ପଣ ନାହିଁ ସେଠି ପୂଜାର କୌଣସି ମାହାତ୍ମ୍ୟ ନାହିଁ ।
ଅଧିକ ପଢ଼ନ୍ତୁ : ମା' ଶାରଳାଙ୍କ ପୀଠରେ ଯମୁନା ସ୍ନାନ ଯାତ୍ରା ପାଳିତ