ଭୁବନେଶ୍ବର: ଆରବ ସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ଶକ୍ତି’। ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ରୁ ୧୨ କିଲୋମିଟର ବେଗରେ ଗତି କରୁଛି। ଏପରିକି ଏହା ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ତେବେ ବାତ୍ୟା ‘ଶକ୍ତି’ ବର୍ତ୍ତମାନ ନାଲିୟାଠାରୁ ୨୭୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଛି। ତେଣୁ କରି ଘଣ୍ଟା ପ୍ରତି ୬୫ କିମି ବେଗରେ ପବନ ବୋହିବା ସହିତ ଗୁଜରାଟ-ମହାରାଷ୍ଟ୍ର ଉପକୂଳରେ ଝଡ଼ ସାଙ୍ଗକୁ ସମୁଦ୍ର ଅଶାନ୍ତ ରହିଛି ।
ଗତ ୬ ଘଣ୍ଟା ହେଲା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବ। ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବା ଅନୁମାନ କରିଛି ଆଇଏମଡି। ଅକ୍ଟୋବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଅଶାନ୍ତ ରହିବ ଆରବ ସାଗର। ସେପଟେ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ଉତ୍ତରାଖଣ୍ଡ ଭଳି ଜଳ ପ୍ରଳୟର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।