ଭୁବନେଶ୍ୱର: ଆଜି ଲୋକସେବା ଭବନରେ ନବଗଠିତ ଜନଜାତି ଉପଦେଷ୍ଟା ପରିଷଦ (ଞଇଉ) ର ପ୍ରଥମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜନଜାତିଙ୍କ ଜମି ହସ୍ତାନ୍ତର ସଂପର୍କିତ ସଂଶୋଧନକୁ ପରିଷଦର ନାମଞ୍ଜୁର କରିଛନ୍ତି। ଆସନ୍ତା ୫ତାରିଖରେ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରାଯିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନଜାତି ମାନଙ୍କୁ ସବୁ କ୍ଷେତ୍ରରେ ନ୍ୟାୟ ମିଳିବା ଏବଂ ସେମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ହୋଇ କାମ କରୁଛନ୍ତି । ଏହି ନୂତନ ପରିଷଦରେ ଆଗାମୀ ୨ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଓ.ଆର୍. ଭି ଆଇନରେ ଅନୁସୂଚିତ ଜନଜାତି ଓ ଜାତି ପିଲାମାନେ ଯେପରି ନ୍ୟାୟ ପାଇବେ, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଜନଜାତି ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଆଜି ପରିଷଦର ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତରଣ ଆଇନର ନିୟମାବଳୀ-୨ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଥିଲା । ୨୦୨୩ ଜୁଲାଇ ୧୧ ତାରିଖରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ପ୍ରସ୍ତାବ ଆସିଥିଲା । ପରେ ୨୦୨୩ ନଭେମ୍ବର ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା । ତେବେ ୨୦୨୪ ଜାନୁଆରୀ ୨୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ନାମଞ୍ଜୁର କରାଯାଇଥିଲା । ଆଜି ଜନଜାତି ଉପଦେଷ୍ଟା ପରିଷଦ ମଧ୍ୟ ଏହି ପ୍ରସ୍ତାବକୁ ନାମଞ୍ଜୁର କରିଛି । ଏହା ଫଳରେ ଆଦିବାସୀ ମାନଙ୍କ ସଂପତ୍ତିକୁ ହସ୍ତାନ୍ତର କରାଯାଇପାରିବ ନାହିଁ ।
ତେବେ ଜନଜାତି ଲୋକମାନେ ସେମାନଙ୍କର ବିଭିନ୍ନ ଜରୁରୀ କାମ, ଯେପରି ବିବାହ, ପିଲାଙ୍କ ଉଚ୍ଚଶିକ୍ଷା କିମ୍ବା ବ୍ୟବସାୟ ଆଦି କାମରେ ଋଣ ପାଇପାରିବେ, ସେଥିପାଇଁ ଆଗାମୀ ଦିନରେ ଅନ୍ୟାନ୍ୟ ବିକଳ୍ପ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା।ବୈଠକରେ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାବ୍ୟତୀତ ଅନ୍ୟାନ୍ୟ ଜନଜାତି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରିବା ପାଇଁ ଆଲୋଚନା ହୋଇଥିଲା ।
ପେସା ଆଇନର କାର୍ୟ୍ୟଥକାରିତା ପାଇଁ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ (ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ତେବେ ଏହି ନିୟମାବଳୀ ଉପରେ ଅଧିକ ଆଲୋଚନା କରାଯାଇ ନିଷ୍ପତ୍ତି ନେବା ପାଇଁ ସ୍ଥିର କରାଯାଇଥିଲା । ଏଥିପାଇଁ ଏକ ରାଜ୍ୟସ୍ତରୀୟ ୱାର୍କସପ୍ ଆୟୋଜନ କରାଯାଇ ଏଥିରେ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ଜନଜାତି ପ୍ରତିନିଧି, ପୌରାଞ୍ଚଳ, ବିଧାନସଭା, ଲୋକସଭା ଓ ରାଜ୍ୟସଭାର ଜନଜାତି ପ୍ରତିନିଧି ମାନଙ୍କୁ ସାମିଲ କରାଯାଇ ଏହି ନିୟମାବଳୀ ସଂପର୍କରେ ବିସ୍ତୃତ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସେହିପରି ‘ଧରତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ’ ଆରମ୍ଭ କରିଛନ୍ତି। ଏଥିରେ ଓଡିଶାର ୨୭ଟି ଜିଲ୍ଲାର ୭,୬୬୭ଟି ଆଦିବାସୀ ବହୁଳ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାଦ୍ୱାରା ୧୦ ଲକ୍ଷ ୮୦ ହଜାରରୁ ଅଧିକ ଜନଜାତି ପରିବାର ଉପକୃତ ହେବେ । ସେହିପରି ପିଏମ୍ ଜନମନ୍ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ଓଡିଶାର ୧୪ଟି ଜିଲ୍ଲାର ୧୩ଟି ବର୍ଗର ପିଭିଟିଜି ମାନେ ଉପକୃତ ହେଉଛନ୍ତି ।
ସେହିପରି ରାଜ୍ୟ ସରକାର ମଧ୍ୟ ଜନଜାତି ମାନଙ୍କ ବିକାଶ ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି। ଅନୁସୂଚିତ ଜନଜାତି ମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ଡ୍ରପ୍ ଆଉଟ ହାର ହ୍ରାସ କରିବା ପାଇଁ ସହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଜାନୁଆରୀ ୫ ତାରିଖରେ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ସହିଦ୍ ଲକ୍ଷ୍ଣଣ ନାୟକ ବିଦ୍ୟାଳୟ ରୂପାନ୍ତରଣ କାର୍ୟ୍ୟ କ୍ରମରେ ୭୦୫ଟି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି ।