ଗଞ୍ଜାମ: ଝାଡାବାନ୍ତିରେ ଚାଲିଗଲା ଜଣଙ୍କର ଜୀବନ, ଡରାଇଲାଣି ହଇଜା । ଏଭଳି ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ଗ୍ରାମପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ । ଉକ୍ତ ଗ୍ରାମରେ ୨୦ ଜଣ ଆକ୍ରାନ୍ତ ହୋଇ ଦିଗପହଣ୍ଡି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ଗ୍ରାମରେ ଝାଡାବାନ୍ତି ବ୍ୟାପୁଥିବାରୁ ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି । ଝାଡାବାନ୍ତି ବ୍ୟାପିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଏହି ଘଟଣାକୁ ପ୍ରଶାସନ ପ୍ରାଥମିକତା ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।
ସୂଚନା ଅନୁସାରେ, ଗତ କିଛି ଦିନ ଧରି ରାଜ୍ୟରେ ମାଡି ଚାଲିଥିଲା ଡାଇରିଆ । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ନୂଆ ନୂଆ ରୋଗୀ ଚିହ୍ନଟ ହେଉଥିଲେ । ପ୍ରଥମେ ଯାଜପୁର ଜିଲ୍ଲାରେ ସ୍ଥିତି ସଂଗୀନ ହୋଇପଡିଥିଲା । ପରେ ରାଜଧାନୀ ମଧ୍ୟ ଏହାର ଶିକାର ହୋଇଥିଲା । ସ୍ଥିତି ସଂଗୀନ ହେଉଥିବାରୁ ସରକାର ଆକ୍ସନ ମୋଡରେ ଆସିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ଡାଇରିଆର ସ୍ଥିତି ସମୀକ୍ଷା କରିଥିଲେ । ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ଡାଇରିଆ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । କେନ୍ଦ୍ରୀୟ ଟିମ୍ ଆସି ଡାଇରିଆ କାହିଁକି ବ୍ୟାପିଛି ତାର କାରଣ ଖୋଜିଥିଲେ। ତମାମ ସରକାରୀ ପଦକ୍ଷେପ ଓ ସତେଚନତା, ଡାକ୍ତରୀ ଟିମ୍ଙ୍କ ଗସ୍ତ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଗତ କିଛି ଦିନ ଧରି ରାଜ୍ୟରେ କୌଣସି ସ୍ଥାନରୁ ନୂଆ ରୋଗୀ ଚିହ୍ନଟ ହୋଇନଥିଲେ । କିନ୍ତି ଏବେ ଦିଗପହଣ୍ଡିରେ ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ଚାରିଆଡେ ଭୟର ବାତାବରଣ ସୃଷ୍ଟି କରିଛି।