ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ଧାମର ଐତିହ୍ୟ ଏବଂ ଭିତ୍ତିଭୂମି ବିକାଶ ପାଇଁ ଚାଲୁ ରହିଥିବା ଅବଢ଼ା ଯୋଜନାରେ ଅଧିକ ୧୦୦.୮୩ କୋଟି ଟଙ୍କାର ବ୍ୟୟବରାଦକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁରୀ ଦେଇଛନ୍ତି। ଏହି ବର୍ଦ୍ଧିତ ରାଶି ଫଳରେ ଏହି ସମସ୍ତ ପ୍ରକଳ୍ପର ମୋଟ ସାଂସ୍କୃତିକ ଓ ଭିତ୍ତିଭୂମି ବ୍ୟୟ ଅଟକଳ ୬୫୮.୦୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ପୁରୀକୁ ଏକ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଏବଂ ଶ୍ରଦ୍ଧାଳୁମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗର ବିକାଶ କରିବା।
ପୂର୍ବରୁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ୫୫୭.୧୯ କୋଟି ଟଙ୍କା ଅନୁମୋଦିତ ହୋଇଥିଲା। ବର୍ତ୍ତମାନ ଏଥିରେ ଅତିରିକ୍ତ ୧୦୦.୮୩ କୋଟି ଟଙ୍କା ଯୋଡ଼ାଯିବାରୁ ଏହା ୬୫୮.୦୩ କୋଟି ଟଙ୍କାରେ ପହଞ୍ଚିଛି।
ଏହି ଅତିରିକ୍ତ ଅର୍ଥ ଦ୍ୱାରା ପୁରୀର କେତେକ ପ୍ରମୁଖ ବିକାଶମୂଳକ କାର୍ଯ୍ୟର ସମ୍ପ୍ରସାରଣ ଓ ନିର୍ମାଣ ତ୍ୱରାନ୍ୱିତ ହେବ । ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସର ହେବ ସମ୍ପ୍ରସାରଣ। ଶ୍ରୀସେତୁ ଓ ମୁସା ନଦୀର ସମ୍ପ୍ରସାରଣ ପାଇଁ ବିନିଯୋଗ ହେବ ଅତିରିକ୍ତ ଅର୍ଥ। ତୀର୍ଥଯାତ୍ରୀ କେନ୍ଦ୍ରର ପଞ୍ଚମ ମହଲାରେ ୨ହଜାର ଆସନ ବିଶିଷ୍ଟ ବହୁମୁଖୀ ହଲ୍ ନିର୍ମାଣ ହେବ।
ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରି କହିଛନ୍ତି ଯେ, ଶ୍ରୀଜଗନ୍ନାଥ ଧାମର ସର୍ବାଙ୍ଗୀନ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ।