ଭୁୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳ ଓ ନଦୀକୁ ସଂଯୋଗ କରୁଥିବା ଅଞ୍ଚଳରେ ବଉଳା କୁମ୍ଭୀର ଗଣନା ହେବ । ଆସନ୍ତା ଜାନୁଆରୀ ୭ରୁ ଆରମ୍ଭ ହୋଇ ଜାନୁଆରୀ ୧୨ ପର୍ଯ୍ୟନ୍ତ ଚାଲିବ । ବିଶେଷ କରି ଜାନୁଆରୀ ୮, ୯ ଓ ୧୦ରେ କୁମ୍ଭୀର ଗଣନା କରାଯିବ । ତେଣୁ ଏହି ତିନି ଦିନ ଭିତରକନିକାରେ ପର୍ଯ୍ୟଟକଙ୍କ ପରିଭ୍ରମଣକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।
ବଉଳା କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କର, ରାଜନଗର ଡିଏଫଓ ଭରତଦ୍ୱାଜ ଗାଏକ୍ୱାଡଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଗଣନା କରାଯିବ । ୮,୯ ଓ ୧୦ ତାରିଖ ବନଖଣ୍ଡ ପକ୍ଷରୁ ୫୧ଟି ଜାଗାରେ କୁମ୍ଭୀର ଗଣନା କରାଯିବ । ତେଣୁ ଭିତରକନିକା ବୁଲିବାକୁ ଯୋଜନା କରିଥିଲେ ଏଥିରେ ପରିବର୍ତ୍ତନ କରିବାକୁ ପର୍ଯ୍ୟଟକଙ୍କୁ କହିଛି ଭିତରକନିକା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ।
୭ ତାରିଖରେ ଗଣନା ସଂପର୍କିତ ଶିକ୍ଷା ଦିଆଯିବା ସହ ବିଭିନ୍ନ ବନାଞ୍ଚଳ ରେଞ୍ଜରେ ଟିମ୍ ଗଠନ କରାଯିବ । ୮,୯ ଓ ୧୦ ତାରିଖ କୁମ୍ଭୀର ଗଣନା କରାଯିବା ସହ ୧୧-୧୨ ତାରିଖ ସୁଦ୍ଧା ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନଗର ଡିଏଫ୍ଓ ଭରତଦ୍ୱାଜ ଗାଏକ୍ୱାଡ ।