ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଓଭର୍ ଟେକ୍ କରିବା ବାଇକ୍ ଆରୋହୀଙ୍କ ପାଇଁ କାଳ ହୋଇଯାଇଛି । ବାଇକ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ର ରାଣୀବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ‘ଶ୍ରୀ ଦୁର୍ଗା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଯଶୀପୁର ଅଭିମୁଖେ ଯାଉଥିଲା । ସେହି ସମୟରେ ସାମ୍ନା ପଟୁ ଏକ ବାଇକ୍ ଆସିଥିଲା । ବାଇକରେ ୩ ଜଣ ଥିଲେ । ବାଇକ୍ ଚାଳକ ଏକ ଟ୍ରକକୁ ଓଭରଟେକ୍ କରୁଥିବାବେଳେ ବସ ସହ ସାମ୍ନାସାମ୍ନି ପିଟି ହୋଇଥିଲେ । ଫଳରେ ବାଇକଟି ବସ୍ ଚକାତଳେ ଆସିଯାଇଥିଲା ଏବଂ ବସ୍ ବାଇକ ଚାଳକଙ୍କୁ କିଛି ବାଟ ଘୋଷାଡ଼ି ନେଇଥିଲା । ଫଳରେ ତିନି ଯୁବକଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହଗୁଡ଼ିକୁ ବସ ତଳୁ ଉଦ୍ଧାର କରିଛି । ଖବର ଲେଖାଯିବା ବେଳକୁ ୩ ଯୁବକଙ୍କ ପରିଚୟ ମିଳିପାରି ନଥିଲା ।