ମୟୁରଭଞ୍ଜ: ତିନି ତିନି ଥର ବଦଳି ପରେ ମଧ୍ୟ ବିଦ୍ୟାଳୟ ଛାଡ଼ିବାକୁ ନାରାଜ ପ୍ରଧାନ ଶିକ୍ଷୟିତ୍ରୀ । ଯାହାକୁ ନେଇ ବାରମ୍ବାର ବିଦ୍ୟାଳୟରେ ଗ୍ରାମବାସୀମାନେ ବାରମ୍ବାର ତାଲା ପକାଉଛନ୍ତି । ଏମିତିକି ଆଜି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବାହାରେ ଛିଡ଼ା କରାଇ ତାଲା ପକାଇଦେଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଉଦଳା ବହୁବନ୍ଧ ଆଶ୍ରମ ବିଦ୍ୟାଳୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।
ବହୁବନ୍ଧ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମଞ୍ଜରୀ ପଣ୍ଡାଙ୍କର ଦୀର୍ଘ ମାସ ପୂର୍ବରୁ ଅନ୍ୟତ୍ର ବଦଳି ହୋଇଛି। ହେଲେ ସେ ବିଦ୍ୟାଳୟ ଛାଡି ଯିବାକୁ ନାରାଜ । ଏଥିପାଇଁ ସେ କୋର୍ଟର ଆଶ୍ରୟ ମଧ୍ୟ ନେଇଛନ୍ତି । ହେଲେ ତାଙ୍କ ବଦଳି ପରେ ସେ ବିଦ୍ୟାଳୟରୁ ନ ଯିବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ କାମ କରାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ପୂର୍ବରୁ ତିନି ଥର ବିଦ୍ୟାଳୟରେ ତାଲା ମଧ୍ୟ ପକାଇଛନ୍ତି । ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରେ ରଖାଯିବ ନାହିଁ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ପୁନଶ୍ଚ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିଥିବାରୁ ଗ୍ରାମବାସୀ ତାତିଥିଲେ । ଗ୍ରାମବାସୀମାନେ ଫାଟକରେ ତାଲା ପକାଇ ଦେଇଛନ୍ତି । ନେଇ ଅଭିଭାବକମାନେ ଧାରଣା ଦେବା ସହିତ ବିକ୍ଷୋଭ କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ।