ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ଉତ୍ତେଜନା। ବୋଲେରୋ ସ୍କୁଟି ଧକ୍କାରେ ଜଣେ ୫ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ମେଡିକାଲ୍ ଛକରେ ମୃତଦେହ ରଖି ପରିବାର ଲୋକ ଧାରଣା ଦେଇଛନ୍ତି। ନ୍ୟାୟ ଦାବିରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ଘଟଣାସ୍ଥଳରେ ପୁରୀ ଏସ୍ପି ପହଂଚି ସେମାନଙ୍କୁ ବୁଝାସୁଝା କରୁଛନ୍ତି।
ଅନ୍ୟପଟେ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ନିଜ ରିଲିଫ ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ଘଟଣା ମୁତାବିକ, ଆଜି ସକାଳେ ପୁରୀ ବଳଗଣ୍ଡି ଛକରେ ଜେଜେ ଓ ତାଙ୍କ ପାଞ୍ଚ ବର୍ଷୀୟ ନାତି ସ୍କୁଟିରେ ଜଳଖିଆ କିଣିବାକୁ ବଳଗଣ୍ଡି ଛକକୁ ଆସିଥିଲେ। ଜଳଖିଆ କିଣିବା ପରେ ଉଭୟ ସ୍କୁଟିରେ ଯାଉଥିବା ବେଳେ ପଛରେ ଆସି ଏକ ବୋଲେରୋ ହଠାତ୍ ଧକ୍କା ଦେଇଥିଲା। ଜେଜେ ତଳେ ପଡିଯିବା ପରେ ବୋଲେରୋଟି ଛୋଟ ପିଲାଟିକୁ ଘୋଷାଡି ନେଇଥିଲା। ଏହା ଦେଖି ଲୋକମାନେ ହୋହାଲ୍ଲା କରିବାରୁ ବୋଲେରୋ ଡ୍ରାଇଭର ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନେ ତାଙ୍କୁ କାବୁ କରିଥିଲେ। ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକ ପିଲାଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ହେଲେ ପିଲାଟିକୁ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଅଧିକ ପଢନ୍ତୁ: ବଡ଼ ଦାଣ୍ଡରେ ସିରିଜ୍ ଦୁର୍ଘଟଣା: ବୋଲେରୋ ଧକ୍କାରେ ଶିଶୁ ମୃତ