ପୁରୀ: ପୁରୀ ବଡ଼ ଦାଣ୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ସିରିଜ୍ ଦୁର୍ଘଟଣା ଘଟାଇଛି । ବୋଲେରୋ ଗାଡ଼ି ଧକ୍କାରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ଶିଶୁଟିର ବୟସ ମାତ୍ର ପାଞ୍ଚ ବର୍ଷ ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଛି ।
ଆଜି ସକାଳୁ ସକାଳୁ ପୁରୀ ବଡ଼ ଦାଣ୍ଡରେ ଜଣେ ବ୍ୟକ୍ତି ତାଙ୍କର ଦୁଇ ନାତିଙ୍କୁ ଏକ ସ୍କୁଟିରେ ଧରି ଜଳଖିଆ କିଣିବାକୁ ଆସୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡ଼ି (ଓଡି୨୨ଏସି୩୦୪୮) ବଳଗଣ୍ଡି ଛକ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ତିନି ଜଣ ସ୍କୁଟି ଆରୋହୀ ତଳେ ପଡ଼ି ଗୁରୁତର ହୋଇଯାଇଥିଲେ । ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଛି । ଜେଜେ ଏବଂ ଆଉ ଜଣେ ନାବାଳକ ଏବେବି ଚିକିତ୍ସାଧୀନ ଅଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ବୋଲେରୋ ଏବଂ ସ୍କୁଟି ଉଭୟ ଡାକ୍ତରାଖାନା ଆଡ଼ୁ ମନ୍ଦିର ରାସ୍ତା ଅଭିମୁଖେ ଯାଉଥିଲା । ବୋଲେରୋ ଗାଡ଼ିଟି ସ୍କୁଟିକୁ ପଛପଟୁ ଧକ୍କା ଦେଇ ଶିଶୁ ଏବଂ ସ୍କୁଟି ଚାଳକଙ୍କୁ ଘୋଷାଡ଼ି ନେଇଥିଲା । ଧକ୍କା ଦେବା ପରେ ମଧ୍ୟ ବୋଲେରୋ ଗାଡ଼ି ଅଟକି ନ ଥିଲା । ଯଦ୍ୱାରା ଶିଶୁଟିର ମୃତ୍ୟୁ ହେଲା ବୋଲି ପ୍ରତ୍ୟକ୍ଷଦର୍ଶ କହିଛନ୍ତି ।
ଏହା ସହିତ ବୋଲେରୋ ଜଣେ ସାଇକେଲ ଆରୋହୀଙ୍କୁ ମଧ୍ୟ ଧକ୍କା ଦେଇଥିବା ସୂଚନା ମିଳିଛି । ନବକିଶୋର ମହାରଣା ନାମକ ଜଣେ ବ୍ୟକ୍ତିଙ୍କୁ ଗାଡ଼ିଟି ଧକ୍କା ଦେଇଥିଲା । ନବକିଶୋର ମଧ୍ୟ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଉକ୍ତ ଗାଡ଼ିକୁ ଅଟକ ରଖି ଭଙ୍ଗାରୁଜା କରିଥିଲେ । କୁମ୍ଭାରପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ବୋଲେରୋକୁ ଜବତ କରିବା ସହିତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି ।