ଧରାପୃଷ୍ଠରେ ବିରାଜମାନ କରିଛନ୍ତି ମା' କାଳୀ । ମାଙ୍କ ଆବାହନ ପାଇଁ ସମସ୍ତେ ଚଳଚଞ୍ଚଳ ହୋଇପଡିଛନ୍ତି । ଦାନବମାନଙ୍କ ସଂହାର ପାଇଁ ମା ପାର୍ବତୀ କାଳୀ ରୂପ ଧାରଣ କରିଥିଲେ । ମାତା ପାର୍ବତୀ ଧାରଣା କରିଥିବା ଏହି ରୂପକୁ ଶାନ୍ତ କରିବା ପାଇଁ ଭଗବାନ ଶିବ ତାଙ୍କ ପାଦତଳେ ଶୋଇପଡ଼ିଥିଲେ । ଭଗବାନ ଶିବଙ୍କ ଉପରେ ମାତାଙ୍କ ପାଦ ପଡିଯିବାରୁ ମାତା ଜିହ୍ୱା କାମୁଡ଼ିଦେଇଥିଲେ । ମାଙ୍କର ଏହି ରୂପକୁ ପ୍ରତିବର୍ଷ ଦୀପାବଳି ଦିନ ପୂଜା କରାଯାଏ । ତେବେ ମାଙ୍କ ଐତିହାସିକ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଛି ଭଦ୍ରକ ସହର।
ଭଦ୍ରକ କାଳୀପୂଜା ଦେଖିବା ପାଇଁ ଧୀରେ ଧୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକରେ ଝଲସି ଉଠିଛି ସମଗ୍ର ଭଦ୍ରକ ସହର । ବାହାରୁ ଆସୁଥିବା ଭକ୍ତଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ମା’ଙ୍କ ସୁନ୍ଦର ମୂର୍ତ୍ତି ସହିତ ଆଧୁନିକ ଓ ପୌରାଣିକ ପରମ୍ପରାର ବାରୁଆଳୀ ନିର୍ମିତ କରାଯାଇଛି । ବିଶେଷକରି ସହର ଉପକଣ୍ଠରେ ଥିବା ଚରମ୍ପା ଅଞ୍ଚଳରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥାଏ ।
ତେବେ ବିଭିନ୍ନ ପୂଜା ମଣ୍ଡପରେ ୭ ଦିନର ପୂଜାର୍ଚ୍ଚନା ପରେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକର ଭସାଣ ଉତ୍ସବ ଅନୁଷ୍ଠିତ ହେବ । ତେଣୁ ଶାନ୍ତି ଶୃଙ୍ଖଳାର ସହ କାଳିପୂଜା ସମ୍ପନ୍ନ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଜନଗହଳିକୁ ଦୃଷ୍ଟିରେ ରଖି ଅସାମାଜିକ ଲୋକଙ୍କ ପ୍ରତି ସାବଧାନତା କରାଯାଇଛି ।ଏହାସହ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଅସ୍ଥାୟୀ ଆଉଟପୋଷ୍ଟ ଏବଂ ସହାୟତା କେନ୍ଦ୍ର ଖୋଲା ଯାଇଥିଲାବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସହରରେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ଏହି ସିସିଟିଭି ମାଧ୍ୟମରେ ନିର୍ଦ୍ଧାରିତ କଣ୍ଟ୍ରୋଲ ରୁମରେ ଜନଗହଳି ଉପରେ କଡା ନଜର ରଖାଯିବ ।ଖାଲି ସେତିକି ନୁହେଁ ମାଙ୍କ ଦର୍ଶନ ପାଇଁ ସମସ୍ତ ସ୍ଥାନରେ ଭିଡ ଜମିବ ସେଥିପାଇଁ ଡ୍ରୋନ କ୍ୟାମେରା ଜରିଆରେ ମଧ୍ୟ କଣ୍ଟ୍ରୋଲ ରୁମ୍ଭରୁ ନଜର ରଖାଯିବ ।
ଅଧିକ ପଢନ୍ତୁ :ଆସନ୍ତାକାଲି ପୂଜା ପାଇବେ ମା କାଳୀ