ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ଭିଡ଼ ହିଂସା ମାମଲାରେ ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ୍। ମୃତ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସହ ଘଟଣାସ୍ଥଳରେ ଥିବା ତାଙ୍କ ବନ୍ଧୁ ଓମ୍ ପ୍ରକାଶ ରାଉତଙ୍କ ପଲିଗ୍ରାଫ୍ (ଲାଇ ଡିଟେକ୍ସନ) ଟେଷ୍ଟ ରିପୋର୍ଟ ଆସିଛି। ସୂଚନା ଅନୁସାରେ, ଟେଷ୍ଟରେ ଓମ୍ ସତ କହିଥିବା ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ଏସଏଫଏସଏଲ୍ରେ ତାଙ୍କର ଏହି ପଲିଗ୍ରାଫ୍ ପରୀକ୍ଷା କରାଯାଇଥିଲା।
ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି। ବର୍ତ୍ତମାନ ମଧ୍ୟ ୫ରୁ ୬ ଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ସେହିପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।
ଉଲ୍ଲେଖଯୋଗ୍ୟ, ଗତ ମେ ୭ ତାରିଖରେ ବାଲିଅନ୍ତାର ରାମଚନ୍ଦ୍ରପୁରରେ ଏକ ସଡ଼କ ଦୁର୍ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଥିଲା। ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ଓ ତାଙ୍କ ବନ୍ଧୁ ଓମ୍ ପ୍ରକାଶ ରାଉତ ବାଇକ୍ରେ ଯାଉଥିବା ବେଳେ ଏକ ସ୍କୁଟିରେ ଥିବା ଦୁଇ ଯୁବତୀଙ୍କ ସହ ଧକ୍କା ହୋଇଥିଲା। ପରେ ଦୁର୍ବ୍ୟବହାର ଅଭିଯୋଗକୁ କେନ୍ଦ୍ର କରି ପ୍ରାୟ ୪୦ରୁ ୫୦ ଜଣଙ୍କ ଏକ ଉତ୍ତ୍ୟକ୍ତ ଗୋଷ୍ଠୀ ସୌମ୍ୟଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ। ଗୁରୁତର ଆହତ ସୌମ୍ୟଙ୍କର ପରେ ମୃତ୍ୟୁ ଘଟିଥିଲା।
ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଫେରାର ଅଭିଯୁକ୍ତଙ୍କ ଗିରଫ ଓ ଚାର୍ଜସିଟ୍ ଦାଖଲ ପରେ ତଦନ୍ତ ଆହୁରି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ଯିବ ବୋଲି ଅନୁମାନ କରାଯାଉଛି।