ପଛକୁ ପଛ ଲାଗି ରହିଛି ଲଘୁଚାପ । ଗତକାଲି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି IMD ଡିଜି । ଘୂର୍ଣ୍ଣିବଳୟ ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲା ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଓ ପୁରୀକୁ ଆଲର୍ଟ କରିଛନ୍ତି SRC ।
ତୁହାକୁ ତୁହା ବର୍ଷା ହେଉଛି । କେଉଁଠି ମୂଷଳ ଧାରାରେ ତ କେଉଁଠି ଛେଚୁଛି । ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଦି ଦିନର ଲଗାଣ ବର୍ଷା ବେହାଲ କରିଦେଇଛି ଜନଜୀବନକୁ । ତଳିଆ ଅଞ୍ଚଳରେ ପାଣି ପଶିଛି, ଲୋକେ ଜଳବନ୍ଦୀ । ପାଣିପାଗ ବିଭାଗ କହିଛି, ଲଘୁଚାପ ହେଲେ ତାର ପ୍ରଭାବ ୨ ଦିନ ପାଇଁ ରହିବ । ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପରିକି ୨୦ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ । ତେବେ ୪ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ କରିଛନ୍ତି SRC । ସେହି ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଏବଂ ପୁରୀ । ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ସତର୍କ କରିଛନ୍ତି SRC ।