ତେଲକୋଇ: ଦିନକୁ ଦିନ ବଢିଚାଲିଛି ହାତୀ ମାନଙ୍କର ଦୌରାମ୍ୟା। କେତେବେଳେ ଗାଁରେ ପଶି ଫସଲ ନଷ୍ଟ କରିଦେଉଛନ୍ତି ତା କେତେବେଳେ ନିରୀହ ଲୋକଙ୍କୁ ନିଜର ଶିକାର କରୁଛନ୍ତି। ସେହିଭଳି କେନ୍ଦୁଝର ବନଖଣ୍ଡ ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା। ହାତୀପଲ ଗାଁରେ ପଶି ରବୀନ୍ଦ୍ର ପାତ୍ରଙ୍କ ଘର ଭାଙ୍ଗିଦେବା ସହିତ ଘର ଭିତରେ ଥିବା ଲକ୍ଷାଧିକ ତାଙ୍କର ଧାନ ନଷ୍ଟ କରିଦେଇଛନ୍ତି।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ୫ଟି ହାତୀ ବେଣା ଗାଁର ମୁଣ୍ଡାସାହିରେ ଖାଦ୍ୟ ଅନ୍ୱେଷଣରେ ପଶିଥିଲେ। ପ୍ରଥମେ ରବୀନ୍ଦ୍ର ପାତ୍ରଙ୍କ ବାଇଗଣ ବାଡ଼ିରେ ପଶି ଫସଲ ନଷ୍ଟ କରିଥିଲେ। ଘର ଭାଙ୍ଗି ଡୋଲିରେ ଥିବା ଧାନ ଖାଇଥିଲେ। ଏପରିକି ବାବୁରାମ ମୁଣ୍ଡାଙ୍କ ଘର ମଧ୍ୟ ଭାଙ୍ଗି ଆସବାବପତ୍ର ନଷ୍ଟ କରିଛନ୍ତି ହାତୀପଲ। ଏହାସହିତ ବିଲରେ ପଶି ଧାନଫସଲ ଦଳଚକଟି ନଷ୍ଟ କରିଦେଇଛନ୍ତି। ତେଣୁ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଛାଇ ଯାଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।