ଦିନକୁ ଦିନ ଦେଖିବାକୁ ମିଳୁଛି ଜନନୀ ଯନ୍ତ୍ରଣା। ଗାଁରେ ଭଲ ରାସ୍ତା ନଥିବାରୁ ଖଟିଆ ସହାୟତାରେ ପ୍ରସୂତିଙ୍କୁ ପରିବାର ଲୋକେ ବୋହି ବୋହି ନେଇ ଡାକ୍ତରଖାନେ ଯାଉଛନ୍ତି। ସେହିଭଳି ନବରଙ୍ଗପୁର ଝରିଗାଁ ବ୍ଳକ ରଣ୍ଢାସାହି ଗାଁରେ ଖଣ୍ଡେ ଭଲ ରାସ୍ତା ନଥିବାରୁ ଦୁଇ ଦୁଇ ଜଣ ପ୍ରସୂତି ମହିଳାଙ୍କୁ ଦୁଇ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଯିବାକୁ ପଡିଛି। ଏହାପରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।
ସୂଚନା ଅନୁସାରେ, ନବରଙ୍ଗପୁର ଝରିଗାଁ ବ୍ଳକ ରଣ୍ଢାସାହି ଗାଁର ଦେବ ସାନ୍ତାଙ୍କ ପତ୍ନୀ ନନ୍ଦାଇ ସାନ୍ତା ଏବଂ ବଳି ସାନ୍ତାଙ୍କ ପତ୍ନୀ ଗୁରୁବାରୀ ସାନ୍ତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସେମାନେ ଆମ୍ବୁଲାନ୍ସ ଫୋନ କରି ଡକାଇଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ନପାରିଲା ନାହିଁ । ତେଣୁ ଗାଁଠାରୁ ପ୍ରାୟତଃ ଦୁଇ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ। ତେବେ ଦୁଇଜଣଙ୍କ ମଧ୍ୟରୁ ନନ୍ଦାଇ ସାନ୍ତାଙ୍କର ଘରେ ପ୍ରସବ ହୋଇଯାଇଥିଲା। ଏହାପରେ ଦୁଇଜଣ ପ୍ରସୂତି ପ୍ରାୟତଃ ଦୁଇ କିଲୋମିଟର ଚାଲି ଚାଲି ଯାଇଁ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ ନିକଟରେ ପହଁଚିବା ପରେ ଉଭୟଙ୍କୁ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ତେବେ ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।