ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର ଘୋଷଣା କରିଛନ୍ତି । ସରକାରୀ ମହିଳା କର୍ମଚାରୀଙ୍କ ଅତିରିକ୍ତ ସାମୟିକ ଛୁଟି ବଢ଼ିଛି । ପୂର୍ବରୁ ସରକାରୀ ମହିଳା କର୍ମଚାରୀଙ୍କୁ ୧୦ଦିନ ଅତିରିକ୍ତ ସାମୟିକ ଛୁଟି ଦିଆଯାଉଥିଲେ ମଧ୍ୟ ତାହା ୧୨କୁ ବୃଦ୍ଧି କରାଯାଇଛି । ମହିଳା କର୍ମଚାରୀମାନେ ଅତିରିକ୍ତ ସାମୟିକ ଛୁଟିକୁ ମାସକୁ ଗୋଟିଏ ଦିନ ନେଇପାରିବେ । ମହିଳାମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ଦିନ ସାମୟିକ ଛୁଟି(କାଜୁଆଲ ଲିଭ) ଓ ୫ଦିନ ସ୍ୱତନ୍ତ୍ର ସାମୟିକ ଛୁଟି(ସ୍ପେଶାଲ ଲିଭ୍) ସହ ପାଇପାରିବେ । ଗତ ଅଗଷ୍ଟ ୧୫ତାରିଖରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଥିଲେ ଯେ, ଉଭୟ ସରକାରୀ ଓ ବେସରକାରୀ ମହିଳା କର୍ମଚାରୀମାନେ ଋତୁସ୍ରାବ ସମୟରେ ଗୋଟିଏ ଦିନ ଛୁଟି ନେଇପାରିବେ ।