ଭୁବନେଶ୍ଵର: ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏଥିପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି ସରକାର । ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଏହି ସ୍ଵତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି। ଟାସ୍କଫୋର୍ସରେ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବମାନେ ସଦସ୍ୟ ଭାବରେ ରହିଛନ୍ତି ।
ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଓଡ଼ିଶାର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ତଥା ଦାଦନଜନିତ ବିସ୍ଥାପନ ରୋକିବା ପାଇଁ ସବିଶେଷ ଆଲୋଚନା କରିବେ। ସେସବୁ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବ । ଟାସ୍କଫୋର୍ସ ବିଭିନ୍ନ ସରକାରୀ ସଂସ୍ଥାମାନଙ୍କ ଦ୍ଵାରା ନିଆଯିବାକୁ ଥିବା ପଦକ୍ଷେପଗୁଡିକ ସୁପାରିଶ କରିବ । ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଲୋକସେବା ଭବନଠାରେ ପଞ୍ଚୟତିରାଜ ଏବଂ ପାନୀୟ ଜଳ ବିଭାଗରେ କାର୍ଯ୍ୟକରିବ । ପ୍ରତି ଛଅ ମାସରେ ଅନ୍ୟୁନ ଥରେ ଟାସ୍କଫୋର୍ସର ବୈଠକ ବସିବ ବୋଲି କୁହାଯାଇଛି ।
ଦାଦନ ଦୂରୀକରଣ କ୍ଷେତ୍ରରେ ଉଚ୍ଚକୋଟିର କାର୍ଯ୍ୟ କରିଥିବା ବିଶେଷଜ୍ଞ, ଶିକ୍ଷାବିତ, ଉନ୍ନୟନ ବିଶେଷଜ୍ଞ, ମିଳିତ ଜାତିସଂଘ ଅନୁବନ୍ଧିତ ସଂସ୍ଥାର ପ୍ରତିନିଧିମାନଙ୍କୁ ମଧ୍ୟ ବୈଠକକୁ ନିମନ୍ତ୍ରିତ କରାଯିବାର ବ୍ୟବସ୍ଥା ରହିଛି। ଏହି ସ୍ଵତନ୍ତ୍ର ଟାସ୍କଫୋର୍ସ ଅଞ୍ଚଳ ଅନୁଯାୟୀ ବିସ୍ଥାପନର ପ୍ରକାରଭେଦ ନିରୀକ୍ଷଣ କରିବା ସହ ଆବଶ୍ୟକୀୟ ନିର୍ଦ୍ଦିଷ୍ଟ ପଦକ୍ଷେପ ପାଇଁ ସୁପାରିଶ କରିବ । ବିସ୍ଥାପନଜନିତ ଆଞ୍ଚଳିକ ବୈଷମ୍ୟତା, ସମାୟିକତା ତଥା ଏହାର ବିସ୍ତୃତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ନିରାକରଣ ନିମନ୍ତେ ପରାମର୍ଶ ଦେବ।