ଅନୁଗୋଳ: କୋଇଲା ଗୁଣ୍ଡ ସଫେଇ ପାଇଁ ସହାୟତା କରିବାକୁ ନାଲକୋକୁ ଅନୁଗୋଳ ପୌରପାଳିକାର ଚିଠି । ଚିଠିରେ ରାସ୍ତାରୁ କୋଇଲା ଗୁଣ୍ଡ ସଫେଇ ସହ ପ୍ରଦୂଷଣ ନିରାକରଣ ପାଇଁ ଅତିରିକ୍ତ ସହାୟତା ଯୋଗାଇ ଦେବାକୁ ଉଲ୍ଲେଖ କରାଯାଇଛି । ଅନୁଗୋଳ ସମେତ ଗାନ୍ଧୀମାର୍ଗରେ ମାତ୍ରାଧିକ କୋଇଲା ଗୁଣ୍ଡ ଏବଂ ଧୂଳିଧୂଆଁରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ନାଲକୋକୁ କୋଇଲା ଟ୍ରକ ଚଳାଚଳ ଯୋଗୁଁ ରାଜ ହୋଟେଲ ଛକ ଠାରୁ ହୁଲୁରିସିଂହା ଛକ ପର୍ଯ୍ୟନ୍ତ ରାସ୍ତାରେ ପ୍ରବଳ କୋଇଲା ଗୁଣ୍ଡ ପଡିରହୁଛି। ଯାହା ଫଳରେ ଗାଡି ଚଳାଚଳ ବେଳେ କୋଇଲା ଗୁଣ୍ଡ ଉଡୁଥିବାରୁ ଲୋକ ଅଣନିଃଶ୍ୱାସୀ ହେଉଛନ୍ତି ।
ପୌରପାଳିକା ପକ୍ଷରୁ ନିୟମିତ ପାଣି ସିଞ୍ଚନ ଓ ସଫେଇ କରଯାଉଥିଲେ ମଧ୍ୟ ଏହା ନିଅଣ୍ଟ ହେଉଛି । ଗାନ୍ଧି ମାର୍ଗର କୋଇଲା ଗୁଣ୍ଡ ସଫା କରିବାରେ ପୌରପାଳିକା ନାକେଦମ୍ ହେଉଛି । ବାୟୁ ପ୍ରଦୂଷଣର ଉଦବେଗଜନକ ସ୍ଥିତିକୁ ଦେଖି ଧୂଳି ହ୍ରାସ ପାଇଁ ପଦକ୍ଷେପ ନେବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ପୌରପାଳିକା ପକ୍ଷରୁ ନାଲକୋର ସିଏସଆରର ଇଡିଙ୍କୁ ପୌରନିର୍ବାହୀ ଅଧିକାରୀ ଚିଠି କରିଥିବା ଜଣାପଡିଛି। ତୁରନ୍ତ ୫ ହଜାର ଲିଟର ବିଶିଷ୍ଟ ଏକ ପାଣି ସିଞ୍ଚନ ମେସିନ୍, ସୁଇପ ମେସିନ୍ ଓ ମାନବ ସମ୍ବଳ ସହାୟତା ଯୋଗାଇ ଦେବାକୁ ଚିଠିରେ କୁହାଯାଇଛି।