ଭୁବନେଶ୍ୱର: ରାଜ୍ୟ ସରକାର ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃନିଯୁକ୍ତି। ଅବସରପ୍ରାପ୍ତ ଏଏସ୍ଆଇ/ଏସ୍ଆଇ/ଇନ୍ସିପେକ୍ଟରଙ୍କୁ ଏହି ନିଯୁକ୍ତି ମିଳିବ। ସେମାନେ ସ୍ପେସାଲ୍ ପୁଲିସ ଅଫିସର୍(ଏସ୍ପିଓ) ଭାବେ କାର୍ଯ୍ୟ କରିବେ। ୧ ବର୍ଷ ପାଇଁ ଠିକା ଭିଭିରେ ସେମାନଙ୍କୁ ନିଯୁକ୍ତି ମିଳିବ। ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।
ଏହି ଚିଠିରେ ଦର୍ଶାଯାଇଛି, ଯେଉଁ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ, ସେମାନଙ୍କ ବୟସ ୬୫ ବର୍ଷରୁ କମ୍ ହୋଇଥିବ। ସେମାନଙ୍କ ସିସିଆର୍ ବେଶ୍ ଭଲ ଥିବ। ଏହି ଅଧିକାରୀମାନେ ନିଜ ସରକାରୀ କ୍ୱାର୍ଟର୍ସ ପୂର୍ବରୁ ଖାଲି କରି ସାରିଥିବା ଆବଶ୍ୟକ। ଏହି ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ଚାକିରି କାଳରେ କୌଣସି ଶୁଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବ। ଏହି ଅଧିକାରୀଙ୍କୁ ନିଯୁକ୍ତ କରିବା ନେଇ ପୋଲିସ ମହାନିର୍ଦ୍ଦେଶକ ଏକ ଚୟନ କମିଟି ଗଠନ କରିବେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନଃନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗର ଗାଇଡ଼ଲାଇନ ପାଳନ କରାଯିବ।
ଗୋଟିଏ ପଟେ ସରକାର ଅବସର ପରେ ନିଯୁକ୍ତିକୁ ମନା କରୁଥିଲା ବେଳେ ପୁଲିସ ବିଭାଗ ପରି ଏକ ସମ୍ବେଦନଶୀଳ ବିଭାଗରେ ଏକାଥରେ ୮୦୦ ଅବସରପ୍ରାପ୍ତଙ୍କୁ ଥଇଥାନ କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପୁନଃନିଯୁକ୍ତି ପାଇବାକୁ ଥିବା ପୁଲିସ ଅଧିକାରୀ ଚାକିରି ସମୟରେ ସେମାନଙ୍କ ସର୍ଭିସ୍ ରେକର୍ଡ ଭଲ ଥିବ ଓ ଶାରୀରିକ ଭାବେ ଫିଟ୍ ହୋଇଥିବେ। ଅବସର ପୂର୍ବର ୫ ବର୍ଷରେ ତାଙ୍କର ସିସିଆର୍ ଭଲ ଥିବ। ସେମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରି ନଥିବେ।
ଅଧିକ ପଢନ୍ତୁ: ନୂଆପଡ଼ା ବିଡିଓଙ୍କୁ ମାଡ଼ ମାରିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ;୪ ଜଣଙ୍କୁ ଗିରଫ କଲା ପୋଲିସ