ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ବୋର୍ଡ ଅଫ ପିସ ଯୋଜନାକୁ ଲାଗିଛି ଝଟକା । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏଥିରେ ସାମିଲ ହେବାକୁ ମନା କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଟ୍ରମ୍ପଙ୍କ ଏହି ବୋର୍ଡକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବିକଳ୍ପ ଭାବେ ଦେଖା ଯାଉଛି । ବୋଧହୁଏ ଏହି କାରଣ ପାଇଁ ଫ୍ରାନ୍ସ ଏହି ବୋର୍ଡରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରିଛି । ଏପରିକି ସ୍ଥାୟୀ ସଦସ୍ୟତା ପାଇଁ ଏକ ବିଲିୟନ ଡଲାର ଫି ମଧ୍ୟ ପ୍ରଶ୍ନ ଘେରରେ ରହିଛି ।
ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗୁରୁବାର ଡାଭୋସରେ ଏହା ଉପରେ ଦସ୍ତଖତ ଚାହାନ୍ତି । ଏହା ସହିତ ସେ ଫ୍ରାନ୍ସର ୱାଇନ ଓ ସାମ୍ପେନ ଉପରେ ୨୦୦ ପ୍ରତିଶତ ଟାରିଫ ଲଗାଇବାକୁ ମଧ୍ୟ ଧମକ ଦେଇଛନ୍ତି । କିନ୍ତୁ ଫ୍ରାନ୍ସ ଗାଜା ବୋର୍ଡ ଅଫ ପିସକୁ ୟୁଏନଏସସିର ବିକଳ୍ପ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ନଜରରେ ଦେଖୁଛନ୍ତି । ଏହି କାରଣରୁ ଫ୍ରାନ୍ସ ଏହି ବୋର୍ଡରେ ସାମିଲ ହେବାକୁ ପ୍ରସ୍ତୁତ ନୁହେଁ । ତେବେ ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ ।
ଯଦି ମାକ୍ରୋନଙ୍କ ପକ୍ଷରୁ ନିମନ୍ତ୍ରଣକୁ ଅସ୍ୱୀକାର କରାଯାଏ, ତେବେ ଏହା ୟୁରୋପର ଅନେକ ଦେଶଗୁଡିକର ନେତା ଉପରେ ପ୍ରଭାବ ପକାଇପାରେ । କିନ୍ତୁ କୌଣସି ବି ନେତା ଖୋଲା ଖୋଲି ଏହାକୁ ବିରୋଧ କରି ନାହାନ୍ତି । କିନ୍ତୁ ହଙ୍ଗେରୀ ଏକମାତ୍ର ୟୁରୋପୀୟ ଦେଶ ଯିଏ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି । ଆମେରିକା ପାକିସ୍ତାନ, ଭିଏତନାମ, ଜୋର୍ଡାନ, ଗ୍ରୀସ, ତୁର୍କୀ, ଇଜିପ୍ଟ ସମେତ ପ୍ରାୟ ୬୦ ଦେଶକୁ ବୋର୍ଡରେ ସାମିଲ ହେବାକୁ ଆମନ୍ତ୍ରିତ କରିଛି ।
ଭାରତର ଯୋଜନା କଣ ?
ଭାରତ ଗାଜା ଉପରେ ଅନ୍ତର୍ଜାତୀୟ ଶାନ୍ତି ବୋର୍ଡର ଗଠନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ । କିନ୍ତୁ ଭାରତ ସରକାର ଏହାକୁ ନେଇ ବିଚାର ବିମର୍ଶ ଚଲାଇଛନ୍ତି । ଆଗାମୀ କିଛି ଦିନରେ ଭାରତ ନିଜର ନିଷ୍ପତ୍ତି ଶୁଣାଇପାରେ । ସୂତ୍ର ଅନୁଯାୟୀ, ଟ୍ରମ୍ପଙ୍କ ନିମନ୍ତ୍ରଣର ଅଧ୍ୟୟନ କରାଯାଉଛି ।
Also read: ନିତିନ ନବୀନ ଆଜିଠୁ ମୋର ବୋସ, ମୁଁ ତାଙ୍କର କାର୍ଯ୍ୟକର୍ତ୍ତା: ପିଏମ ମୋଦୀ