ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ଏକ ବଡ ଅଘଟଣ ଘଟିଯାଇଛି । ଭୁବନେଶ୍ୱର ୧ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ରାତି ପ୍ରାୟ ଗୋଟାଏରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହା କିପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।
ସୂଚନା ଅନୁସାରେ କ୍ୟାପିଟାଲ ଥାନା ନିକଟ ଭୁବନେଶ୍ବର ୧ ନମ୍ବର ହାଟର ଭେଣ୍ଡିଂ ଜୋନ ଓ ପ୍ଲାଷ୍ଟିକ ଦୋକାନରେ ନିଆଁ ଲାଗି ଯାଇଥିଲା। ଗୋଟିଏ ଦୋକାନରେ ନିଆଁ ଲାଗିବା ଫଳରେ ଅନ୍ୟ ଦୋକାନକୁ ବ୍ୟାପିବାରେ ଲାଗିଥିଲା । ଆଉ ନିଆଁ ଏତେ ଦ୍ରୁତଗତିରେ ବ୍ୟାପିଥିଲା ଯେ କେହି କିଛି କରିପାରିନଥିଲେ । ଖବର ପାଇ ହାଟର ବହୁ ବ୍ୟବସାୟୀ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ।
ଭୟଙ୍କର ଅଗ୍ନିକାଣ୍ଡରେ ପାଖାପାଖି ୫୦ଟି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଜଳି ପୋଡି ପାଉଁଶ ହୋଇଯାଇଛି ଜିନିଷପତ୍ର । ଏମିତିକି ନିଆଁ କବଳରୁ ବର୍ତ୍ତି ପାରିନଥିଲା କ୍ୟାପିଟାଲ ଥାନା । ଦୋକାନରୁ ଦୋକାନ ବ୍ୟାପିବା ପରେ ଥାନାରେ ମଧ୍ୟ ନିଆଁ ଲାଗିଯାଇଥିଲା । ଥାନାରେ ଲାଗିଥିବା ଏସି କମ୍ପ୍ରେଶରରେ ନିଆଁ ଲାଗି ଜୋରଦାର ବିସ୍ଫୋରଣ ହୋଇଥିଲା । ଏଥିସହିତ ନିଆଁ ଲିଭାଇବା ପାଇଁ ଚନ୍ଦ୍ରଶେଖରପୁର, ତମାଣ୍ଡୋ, କଳ୍ପନା, ବାଲିଅନ୍ତା,ସଚ୍ଚିବାଳୟ ଅଗ୍ନିଶମ ୟୁନିଟ୍ ସହ ୧୩ଟି ଗାଡ଼ି ନିୟୋଜିତ ହୋଇଥିଲେ । ଉଦ୍ଧାର କାର୍ଯ୍ୟ ଓ ନିଆଁ ଲିଭାଇବା ପାଇଁ ବରିଷ୍ଠ ଅଗ୍ନିଶମ ଅଧିକାରୀ ସହ ୭୦ଜଣରୁ ଅଧିକ ଆଗ୍ନିକ ସମେତ ୨ୟୁନିଟ୍ ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିୟୋଜିତ ଥିଲେ । ତେବେ ନିଆଁ ଆଁରେ ଅନେକ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଦୋକାନୀ ।