ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ଜନ ଗହଳିପୂର୍ଣ୍ଣ ୧ ନଂ ହାଟରେ ନିଆଁ ଲାଗି ସବୁ କିଛି ଧ୍ୱଂସ ହୋଇଯାଇଛି । ନିଆଁ ବ୍ୟାପିବାର ପ୍ରମୁଖ କାରଣ ପ୍ଲାଷ୍ଟିକ୍ ଥିଲା ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇସାରିଛି ।
ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଳ ରାଣା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ନେଇ ମେୟର କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି କମିଶନର କହିଛନ୍ତି ଯେ ଯାଞ୍ଚ ବେଳେ ବାରମ୍ବାର ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସ୍ଆରସି ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଥିଲା । ତଥାପି କିଛି ଦୋକାନୀ ନିୟମ ଉଲ୍ଲଂଘନ କରି ପ୍ଲାଷ୍ଟିକ୍ ବ୍ୟବହାର କରୁଛନ୍ତି । ତେବେ ନିଆଁ ଲାଗି ୪୦ରୁ ଉର୍ଦ୍ଧ୍ୱ ଦୋକାନ ଜଳି ଯାଇଛି । ସ୍ୱତନ୍ତ୍ର ଜରୁରୀକାଳୀନ ଟିମ୍ ଏବଂ ତହସିଲର ଦୁଇଟି ଟିମ୍ କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି । ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ ହୋଇଯିବ । ହାଟର ନବୀକରଣ କାର୍ୟ୍ୟ ଜାରି ରହିଥିବାରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏସଆରସି ଅର୍ଥ ମଞ୍ଜୁର କରିସାରିଛନ୍ତି । ଗୋଟେ ମାସ ଭିତରେ ଡିପିଆର୍ ପ୍ରସ୍ତୁତ ହୋଇ ଟେଣ୍ଡର୍ କରାଯିବ ।
ଏହା ସହିତ ଯେଉଁମାନେ ବେଆଇନ ଭାବେ ପାଲ ଟାଣି ଦୋକାନ କରିଛନ୍ତି, ସେମାନଙ୍କୁ ଗୋଟିଏ ଦୁଇ ଦିନ ମଧ୍ୟରେ ଉଚ୍ଛେଦ କରାଯିବ । ଏହି ସହିତ ଏମାନଙ୍କ ବିରୁଦ୍ଧରେ ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟବସାୟୀ ସଂଘକୁ କଡ଼ା ଚେତାବନୀ ଦେଇଛନ୍ତି ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ୟୁନିଟ ୧ ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା। ଏହା ପରେ ଆଖି ପିଛୁଳାକେ ନିଆଁ ବ୍ୟାପିଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ନିଆଁର ଭୟାବହତା ଦେଖି ରାଜଧାନୀର ଅନେକ ଫାୟାର ଷ୍ଟେଷନରୁ ଦମକଳ ଗାଡ଼ି ପହଁଚିଥିଲା । କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍ ଷ୍ଟ୍ରାଇକ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ । ପ୍ରାୟ ୭୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁଙ୍କୁ ଆୟତ୍ତ କରିଥିଲେ ।