ନୂଆପଡ଼ା ବିଡିଓ ରୋହିତ ଭୋଇଙ୍କୁ ମାଡ଼ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଆକ୍ରମଣ ଘଟଣାରେ ଭଇସାଟାଲ ଗାଁର ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଆଜି( ସୋମବାର) ସର୍ବସମ୍ମୁଖରେ ବିଡିଓଙ୍କ ଉପରକୁ ଆକ୍ରମଣ ହୋଇଥିଲା।ସୂଚନାନୁଯାୟୀ, ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ପଞ୍ଚାୟତ ମୁଖ୍ୟାଳୟରେ ହେବାକୁ ଥିବା ପଞ୍ଚାୟତ ଗୃହ ବାଲୋଦା ଠାରେ ନିର୍ମାଣକୁ ନେଇ ବିରୋଧ କରିଥିଲେ କିଛି ଗ୍ରାମବାସୀ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାମ ଚାଲୁଥିଲା। ଏହି ଘଟଣାକୁ ନେଇ ଆଜି ବିଡିଓଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଜଣେ ଯୁବକ ବିଡିଓ ରୋହିତ ଭୋଇଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ବେଳର ଭିଡିଓ ଭାଇରାଲ୍ ହୋଇଥିଲା।
ଏନେଇ ବିଡିଓ ଥାନାର ଦ୍ଵାରସ୍ଥ ହୋଇଥିଲେ। ଦୋଷୀଙ୍କୁ ଗିରଫ ଦାବିରେ ବ୍ଲକ୍ ଅଫିସ୍ ଆଗରେ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ବ୍ଲକ କର୍ମଚାରୀ ମାନେ ଧାରଣା ଦେଇ କଲମ ଛାଡ଼ ଆନ୍ଦୋଳନ କରିଥିଲେ। ବ୍ଲକ ଅଫିସ ପରିସରରେ SDPOଙ୍କ ସହ ନୂଆପଡ଼ା ପୁଲିସ ପହଞ୍ଚି ତଦନ୍ତ କରିଥିଲେ। ଏହି ଘଟଣାରେ ଏବେ ପୁଲିସ ଭଇସାଟାଲ ଗାଁର ୪ଜଣଙ୍କୁ ଗିରଫ କରିଛି।
ଅଧିକ ପଢନ୍ତୁ: ଗୋ-ମାଫିଆଙ୍କୁ ଆଉ ନିସ୍ତାର ନାହିଁ: ଖୋଲିବ ୫୦ ବ୍ୟାଙ୍କ ଆକାଉଣ୍ଟ, ୨୦ ଲକର୍