କେନ୍ଦୁଝର: ରାଜ୍ୟରେ ଗୋ-ମାଫିଆଙ୍କୁ ଆଉ ନିସ୍ତାର ନାହିଁ । ବଡ଼ ଧରଣର ଗୋ-ଚାଲାଣ ରାକେଟ୍ ଫର୍ଦ୍ଦାଫାସ୍ ହୋଇଛି । ବେଆଇନ ଗୋରୁ ଚାଲାଣ କରି ହୋଇଛନ୍ତି କୋଟି କୋଟି ସମ୍ପତ୍ତିର ମାଲିକ । କେନ୍ଦୁଝର ଜିଲ୍ଲା ପୋଲିସ ଗିରଫ ୧୦ଜଣ ଗୋ-ମାଫିଆଙ୍କୁ କୋର୍ଟ ଚାଲାଣ କରିଛି ।
ସମସ୍ତ ଗୋ ମାଫିଆଙ୍କଠାରୁ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ନଗଦ ରାଶି ଜବତ ହୋଇଥିବାବେଳେ ୫୦ କୋଟିରୁ ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ । ଗିରଫ ଅଭିଯୁକ୍ତଙ୍କର ୫୦ଟି ବ୍ୟାଙ୍କ ଆକାଉଣ୍ଟ ସହିତ, ୨୦ରୁ ଉର୍ଦ୍ଧ୍ୱ ଲକର୍ ଖୋଲାଯିବା ପରେ ଗୋ ମାଫିଆମାନଙ୍କର ପ୍ରକୃତ ସମ୍ପତ୍ତିର ଆକଳନ କରାଯିବ । ଏହି ଅପରେସନ୍ ଜାରି ରହିଥିବା କହିଛନ୍ତି କେନ୍ଦୁଝର ଏସପି ନିତିନ କୁଶଲକର ।
ଏନେଇ ଏସପି କହିଛନ୍ତି ବର୍ତ୍ତମାନ ସୁଦ୍ଧା ଗୋ ମାଫିଆଙ୍କ ବିରୁଦ୍ଧରେ ଅପେରସନ ଜାରି ରହିଛି । ଆଗକୁ ଏମାନଙ୍କ ଲିଙ୍କ କାହା ସହିତ ଥିଲା ତା ଉପରେ ମଧ୍ୟ ଯାଞ୍ଚ ଚାଲିବ । ଏଥିସହ ଗିରଫ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଏକାଉଣ୍ଟ ଫ୍ରିଜ କରାଯିବା ସହ ସେମାନଙ୍କ ନାମ ରେ ଥିବା ଲକର ଖୋଲିବା ପାଇଁ ବ୍ୟାଙ୍କ ଗୁଡିକକୁ ଜଣାଯିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଶନିବାର ଓ ରବିବାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାରେ ବଡ଼ ଧରଣର ରେଡ୍ ହୋଇଥିଲା । ୫ଟି ଜିଲ୍ଲାରେ ଗୋ-ମାଫିଆଙ୍କ ୪୬ଟି ଠିକଣାରେ ଏକ ବଡ଼ ଧରଣର ଚଢ଼ାଉ କରିଥିଲା କେନ୍ଦୁଝର ଜିଲ୍ଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମୁଖ୍ୟ ଅଭିଯୁକ୍ତ ଶେଖ୍ ତାଜୁଦ୍ଦିନ୍ ଓରଫ୍ ରାଜନ୍ ରହିଛି । ଚଢ଼ଉ ସମୟରେ ମାଫିଆଙ୍କର ଘର, ବ୍ୟାଙ୍କଜମା, ଜମିବାଡ଼ି ସହ, ଅନ୍ୟାନ୍ୟ ସମ୍ପତ୍ତି ରହିଛି, ଯାହା ମାଫିଆମାନେ ବେଆଇନ ଗୋ-ଚାଲାଣ କରି ଅର୍ଜନ କରିଛନ୍ତି । ଗୋ-ମାଫିଆଙ୍କର ୫୦ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏହା ସହିତ ଆଗକୁ ମଧ୍ୟ ଆହୁରି ସମ୍ପତ୍ତି ଆକଳନ କରାଯିବା ନେଇ ଏସପି ସୂଚନା ଦେଇଛନ୍ତି । ଚଢ଼ାଉ ସମୟରେ ୧୦ଜଣ ଗୋମାଫିଆଙ୍କଠାରୁ ୧କୋଟି ୫୨ଲକ୍ଷ ୮୨ହଜାର ୫୦୫ ନଗଦ ଟଙ୍କା, ୧କେଜି ୧୩୧ ଗ୍ରାମ୍ ସୁନା, ୩ କେଜି ୮୦ଗ୍ରାମ୍ ରୁପା, ୨୩ଟି ଚାରି ଚକିଆ ଗାଡ଼ି, ୨୩ଟି ଦୁଇ ଚକିଆ ଗାଡ଼ି, ୧୩ଟି ମୋବାଇଲ୍ ଫୋନ୍ ଏବଂ ୨୧ଟି ହାତଘଣ୍ଟା ଜବତ କରିଥିଲା ।