ଗଜପତି ଜିଲ୍ଲା ମୋହନା ଥାନା ଜରଉ ଘାଟିରେଏକ ବଡ଼ ଦୁର୍ଘଟଣା ଘଟିଛି। ଘାଟୀରୁ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିଛି। ଅଟୋ ରିକ୍ସାଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିଛି। ଫଳରେ ଅଟୋ ଡ଼୍ରାଇଭର ସହ ୧୭ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଗଞ୍ଜାମ ଜିଲ୍ଲା ଗୌଡ଼ଗୁଠ ତୁଆହୁରୁ ଗାଁରୁ ଅଭିଭାବକ ମାନେ କିଛି ଛାତ୍ରଙ୍କୁ ନେଇ ବଡ଼ଗଡ ଯିବାବେଳେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ଚାରୋଟି ଗାଁର ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଆଶ୍ରମ ସ୍କୁଲକୁ ନେବା ପାଇଁ ଚାରୋଟି ଅଟୋ ରିକ୍ସା ଭଡା ନେଇଥିଲେ। ଘାଟ ରାସ୍ତାରେ ଯାଉଥିବା ସମୟରେ ଗୋଟିଏ ଗାଡ଼ି ଓଲଟି ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଛି। ବଡ଼ଗଡ଼ ଏବଂ ମୋହନାରୁ ଆମ୍ବୁଲାନ୍ସଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ୫ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।