ଭୁବନେଶ୍ୱର: ପୁଣି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ବସିଲା ବୈଠକ। ଆଜି ପୁଣିଥରେ ତାଙ୍କର ଭୁବନେଶ୍ୱର ସରକାରୀ ବାସଭବନରେ ବିଜେଡି ନେତାମାନେ ଏକାଠି ହୋଇଛନ୍ତି। ଯାଜପୁରର ଅନେକ ନେତା ଏଥିରେ ମେଳି କରିବାର ଦେଖିବାକୁ ମିଳିଛି। ଏହି ବୈଠକରେ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ବିଧାୟକ ବିଶ୍ୱ ମଲ୍ଲିକ, ପ୍ରିତିରଞ୍ଜନ ଘଡ଼ାଇ କ୍ୟାପଟେନ ରାଜନାରାୟଣ ମହାପାତ୍ରଙ୍କ ଭଳି ନେତା ଏକାଠି ହୋଇଛନ୍ତି। ତେବେ ଶଙ୍ଖ ଭବନରୁ ମାତ୍ର ୫ ଶହ ମିଟର ଦୂରରେ ପ୍ରମିଳା ମଲ୍ଲିକଙ୍କ ଘରେ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି।
ପୂର୍ବରୁ ମଧ୍ୟ ଠିକ ୧୫ ଦିନ ତଳେ ପ୍ରମିଳାଙ୍କ ଘରେ ଏକାଠି ହୋଇଥିଲେ ଯାଜପୁରର କିଛି ବିଜେଡି ନେତା। ଆଜି ପୁଣି ଥରେ ମେଳି କରିବା ଏବଂ ଆଜିର ବୈଠକରେ କଣ ରଣନୀତି ପ୍ରସ୍ତୁତ ହେଉଛି କଣ ସବୁ ଆଲୋଚନା ହେଉଛି, ତାହା ଏବେ ସୁଦ୍ଧା ଜଣାପଡିନି। ତେବେ ବୈଠକକୁ ନେଇ ଯାହା ନେତାମାନେ କହିଛନ୍ତି, ସେମାନେ କେବଳ ବିଜେଡିର ସାଙ୍ଗଠନିକ ସ୍ଥିତି ଆଗକୁ କେମିତି ରହିବ, କିପରି ଜିଲ୍ଲାସ୍ତରରେ ସ୍ଥିତି ଆହୁରି ସୁଦୃଢ କରାଯିବ ସେନେଇ ଆଲୋଚନା କରାଯାଉଛି। ଆଗକୁ ଶଙ୍ଖାଭବନରେ ଏନେଇ ବୈଠକ ବସିବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି।
ଗୋଟେ ପଟେ ଯାଜପୁରରେ ଏବେ ତୃଣମୂଳ ସ୍ତରର ନେତାମାନେ ବିଜେଡି ଛାଡି ବିଜେପି ଆଡକୁ ମୁହାଉଁଛନ୍ତି, କାରଣ ନିକଟରେ ବିଜେଡିର ପୂର୍ବତନ ସାଂସଦ ରିତା ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ତେବେ ଏଭଳି ସମୟରେ ଏବେ ଯାଜପୁର ନେତାମାନେ ପ୍ରମିଳାଙ୍କ ଘରେ ବୈଠକ କରିବା ଚର୍ଚ୍ଚା ବଢ଼ାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନ ଠାରୁ ଶଙ୍ଖ ଭବନର ଦୂରତା ମାତ୍ର କେଇ ହାତ ଦୂରରେ। ହେଲେ ତା ସତ୍ତ୍ୱେ ମଧ୍ୟ ଏହି ନେତାମାନେ କାହିଁକି ପ୍ରମିଳାଙ୍କ ଘରେ ଏକାଠି ହେଲେ, ତାକୁ ନେଇ ଏବେ ଚର୍ଚ୍ଚା ଥମିବାର ନା ନେଉନି। ଖାସ୍ କରି ଯାଜପୁର ବିଜେଡି ନେତାଙ୍କ ଏହି ମେଳିକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି।
ଅଧିକ ପଢନ୍ତୁ: ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ବଡ଼ ବୈଠକ; ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟଙ୍କ ସମେତ ଛାମୁଆ ନେତା ଏକାଠି