ଭଦ୍ରକ: ପାଠ ପଢିବାକୁ କାହାର ବା ଇଚ୍ଛା ନୁହଁ। ସେହିଭଳି କିନ୍ନର ହୋଇଥିବାରୁ ସମାଜରେ ଅନେକ କଥା ଶୁଣିବାକୁ ପଡିଥିଲା, ବାଟରେ ଥିଲା ଅନେକ ବାଧାବିଘ୍ନ। ହେଲେ ଏସବୁକୁ ଏଡାଇ ଦେଇ ପାଠ ପଢିବାକୁ ମନ ବଳାଇଥିଲେ ଭଦ୍ରକ ଚରମ୍ପାର ୯ ଜଣ କିନ୍ନର। ଲକ୍ଷ ଅଛି ପାଠ ପଢି ଶିକ୍ଷିତ ହେବାକୁ ଆଉ ତାହାକୁ ସେମାନେ କରିକି ଦେଖାଇଛନ୍ତି। ମାଟ୍ରିକ୍ ପାସ୍ କରି ଖୁସି ହେବା ସହିତ ତାଙ୍କ ମନରେ ଭରିଦେଇଛି ନୂଆ ଆତ୍ମବିଶ୍ବାସ।
ସେମାନେ କହିଛନ୍ତି ବିଭିନ୍ନ ସାମାଜିକ ପ୍ରତିବନ୍ଧକ ପାଇଁ ପାଠରେ ଡୋରି ବାନ୍ଧିବାକୁ ପଡ଼ିଥିଲା। ହେଲେ ଅନେକ ଚେଷ୍ଟା ପରେ ଚରମ୍ପା ସ୍ଥିତ ସରୋଜିନୀ ସଂସ୍କୃତ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରିଥିଲେ। ଲଗାତାର କ୍ଲାସ କରିବା ସହ ବଳକା ସମୟରେ ପ୍ରସ୍ତୁତି କରୁଥିଲେ। ପ୍ରତିବନ୍ଧକ ସତ୍ତ୍ବେ ପାଠ ପ୍ରତି ଆଗ୍ରହ ଥିବାରୁ ସରକାରୀ ସହାୟତା ସହ ଗୁରୁମା ଓ ସାଥୀ ଫାଉଣ୍ଡେସନ ମଧ୍ୟ ସହଯୋଗ କରିଥିଲେ।
ଆଉ ଶେଷରେ ପରିଶ୍ରମ ସଫଳ ହୋଇଛି। ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି ୯ ପରୀକ୍ଷାର୍ଥୀ। ସେମାନଙ୍କ ମଧ୍ୟରେ ୭ ଜଣ ଗ୍ରେଡ ବି ଓ ସି ଗ୍ରେଡରେ ୨ ଜଣ ପାସ୍ କରିଛନ୍ତି। ବଡ଼ କଥା ହେଲା କିଛି ଲୋକଙ୍କ ସମାଲୋଚନା ପାଇଁ ଦିନେ ପାଠପଢ଼ାରେ ଡୋରି ବାନ୍ଧିଥିବା ଏହି କିନ୍ନର ମାନେ ଯୁଗ ସହ ତାଳ ଦେଇ ଚାଲିବାକୁ ପ୍ରସ୍ତୁତ। ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ଏବେ ପୁଣି ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରିଥିବା କହିଛନ୍ତି।
ତେବେ ଗତକାଲି ସନ୍ଧ୍ୟା ୬ଟାରେ ମ୍ୟାଟ୍ରିକ୍ ରେଜଲ୍ଟ ବାହାରିଥଲା ଏଥିରେ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି। ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ। B2ରେ ୮୪ ହଜାର ୯୭୧, Cରେ ୧ ଲକ୍ଷ ୩୩ ହଜାର ୮୨୨, Dରେ ୧ ଲକ୍ଷ ୪୬ ହଜାର ୧୫୪ ଓ E ଗ୍ରେଡ୍ ୬୭ ହଜାର ୧୩ ଜଣ ପାସ୍ କରିଛନ୍ତି।