ପୁରୀ: ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ନୋଟିସ୍ ଜାରି ହୋଇଛି । ଦାରୁକୁ ଅନ୍ୟକୁ ଦେବା ମାମଲାରେ ଆଇନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶରେ ନୋଟିସ୍ ହୋଇଛି । ଆସନ୍ତାକାଲି ପୂର୍ବାହ୍ନରେ ଏ ନେଇ ତାଙ୍କୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି । ମହାପ୍ରଭୁଙ୍କ ମହାପ୍ରଭୁ ନବକଳେବର ଦାରୁକୁ କେମିତି ସେ ନେଲେ ସେ ନେଇ ପଚରାଉଚରା କରାଯାଇପାରେ ।
ଅପରପକ୍ଷରେ ଆଜି ପୁରୀରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଉକ୍ତ ବୈଠକରେ ନୀତି ପ୍ରଶାସକ, ଛତିଶା ନିଯୋଗ, ତଢ଼ଉକରଣ ଓ ଦେଉଳକରଣଙ୍କ ଉପସ୍ଥିତିରେ ଆଲୋଚନା ହେଉଛି । ଅପରପକ୍ଷରେ ଚାରି ମୁଖ୍ୟ ବାଡ଼ଗ୍ରାହୀଙ୍କୁ ଅଲଗା ଅଲଗାଭାବେ ପଚରାଉଚରା କରାଯିବ । ଚାରୋଟି ବିନ୍ଦୁ ଉପରେ ମୁଖ୍ୟ ପ୍ରଶାସକ ମୁଖ୍ୟ ବାଡ଼ଗ୍ରାହୀଙ୍କୁ ପ୍ରଶ୍ନ କରିଛନ୍ତି । ଜଗନ୍ନାଥ ଧାମ ଘୋଷଣା କରିବା, ଦାରୁ ଗୃହରୁ ଛତିଶା ନିଯୋଗ ସମ୍ପାଦକ ତଥା ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ଦାରୁ ନେବା, ଦାରୁ କେଉଁଠି ପୂଜା ପାଆନ୍ତି ନାହିଁ ଓ ପଥର ମୂର୍ତ୍ତି ହେବା ଶାସ୍ତ୍ର ବିରୋଧୀ ଏବଂ ଏହାର ସମାଧାନ କିପରି କରାଯିବ ତାହା ଉପରେ ପ୍ରଶ୍ନ କରିଛନ୍ତି ମୁଖ୍ୟ ପ୍ରଶାସକ । ସେ ଏହାର ଉତ୍ତର ରଖିଛି ବୋଲି କହିଛନ୍ତି ଦଇତାପତି ରାମ ଦାସ ମହାପାତ୍ର ।
ମୁଖ୍ୟ ପ୍ରଶାସକଙ୍କୁ ଛତିଶା ନିଯୋଗର ଚିଠି
ତେବେ ଛତିଶା ନିଯୋଗ ତରଫରୁ ଦୀଘା ସ୍ଥିତ ଜଗନ୍ନାଥ ମନ୍ଦିରକୁ ଧାମ ଘୋଷଣା କରାଯିବାକୁ ନାପସନ୍ଦ କରାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରସାଶକଙ୍କୁ ଚିଠି ଲେଖିଛି ଛତିଶାନିଯୋଗ । ମନ୍ଦିରର ନିର୍ମାଣ ପୂର୍ବରୁ କୌଣସି ଅନୁମତି ମଗାଯାଇ ନ ଥିବା ଏବଂ ପ୍ରତିଷ୍ଠାବେଳେକୁ ମଧ୍ୟ ଶ୍ରୀମନ୍ଦିରକୁ ନିମନ୍ତ୍ରଣ ଆସିନଥିଲା । ଜଗନ୍ନାଥ ଧାମ ଶବ୍ଦକୁ ପ୍ରତ୍ୟାହାକର କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ଆବଶ୍ୟକ ଆଇନଗତ ପରାମର୍ଶ ନେବାକୁ ମଧ୍ୟ ଅନୁରୋଧ କରିଛି ଛତିଶା ନିଯୋଗ । ସେହିପରି ଆଗକୁ ଏଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ମାର୍ଗଦର୍ଶିକା ଜାରି କରିବାକୁ ଅନୁରୋଧ କରାଯାଇଛି । ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି ଯେ ନବକଳେବରର ବଳକା ଦାରୁରେ ଅନ୍ୟ ମନ୍ଦିର ପାଇଁ ଦାରୁ ନିର୍ମାଣ କରାଯିବା ଶାସ୍ତ୍ର ବିରୋଧୀ ଅଟେ । ଏହା କେବଳ ମହାପ୍ରଭୁଙ୍କ ଗୁପ୍ତନୀତିରେ ବ୍ୟବହାର କରାଯାଇଥାଏ । ଏହାର ପୂଜା ଅର୍ଚ୍ଚନା ମଧ୍ୟ କଠିନ । ଏଥିରେ ତ୍ରୁଟି ହେଲେ କର୍ତ୍ତାଙ୍କର କ୍ଷତି ହୁଏ । ତେଣୁ ମନ୍ଦିର ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଛତିଶାନିଯୋଗ ଅନୁରୋଧ କରିଛି ।
ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଦାରୁ ଗୃହରେ ଦାରୁ ରୁହେ । ଏହାର ଚାବି କାଠି, ରକ୍ଷଣାବେକ୍ଷଣା ଓ ସେବା ପୂଜା ଦାୟିତ୍ୱ ଦଇତାପତି ନିଯୋଗଙ୍କ ଉପରେ ନ୍ୟସ୍ତ କରାଯାଇଛି । ତେଣୁ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର କିପରି ଏବଂ କାହା ଅନୁମତିରେ ଦାରୁ ନେଇଛନ୍ତି ସେ ନେଇ ଅନେକ ଅସୀମାହିତ ପ୍ରଶ୍ନ ରହିଛି । ଅନ୍ୟପକ୍ଷେ ରାମକୃଷ୍ଣ ଦାସ ମହାପାତ୍ର ନିଜେ କହିଥିବା କଥାକୁ ଖଣ୍ଡନ କରି କହିଛନ୍ତି ସେ ଦାରୁ ନେଇ ନାହାଁନ୍ତି । ତେବେ ସେ କାହିଁକି ବଙ୍ଗଳା ଗଣମାଧ୍ୟମକୁ ମିଛ କହିଲେ ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ସେଠାରେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ ନବକଳେବର ବେଳେ ଯେଉଁ ଦାରୁ ବ୍ରହ୍ମ ପ୍ରତିଷ୍ଠା ହୋଇଥାଏ ସେହି ଦାରୁକୁ ନେଇକି ସେ ଯାଇଥିଲେ ଏବଂ ସେଠାରେ ପ୍ରତିଷ୍ଠା କରିଛନ୍ତି ବୋଲି ସେ କହିଥିଲେ । ଯାହାକୁ ନେଇ କୋଟି କୋଟି ଓଡ଼ିଆ ଜଗନ୍ନାଥ ଭକ୍ତ ମନରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଏହା ପରେ ତେବେ ରାମକୃଷ୍ଣ ଦାସ ମହାପାତ୍ର ଓଡ଼ିଆ ଗଣମାଧ୍ୟମ ଆଗରେ ଏହି ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି । ସେ ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ଦେଇ ନାହାଁନ୍ତି ଏବଂ ବ୍ରହ୍ମ ସ୍ଥାପନା କରି ନାହାଁନ୍ତି ବୋଲି କହିଥିଲେ ।