ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ସରାଙ୍ଗ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକକୁ ପଛରୁ ପିଟିଲା କାଚ ବୋଝେଇ ଆଇଚର। ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଜଣଙ୍କ କଟକ ମାହାଙ୍ଗା ଅଂଚଳର ।
ସୂଚନା ଅନୁସାରେ, ପିତିରି ଆଡୁ ତାଳଚେର ଆଡକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଅସାବଧାନତା କାରଣରୁ ଆଇଚର ଗାଡିଟି ଟ୍ରକ ପଛରେ ଧକ୍କା ଦେଇଥିଲା। ତେବେ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କ ମୃତ ଦେହକୁ ଉଦ୍ଧାର କରିଛନ୍ତି। ପ୍ରାୟ କିଛି ସମୟ ଧରି ଡ୍ରାଇଭର ଜଣଙ୍କ ଟ୍ରକ ଭିତରେ ଚାପି ହୋଇ ରହିଥିଲେ। କଟର ମେସିନ ସାହାଯ୍ୟରେ କାଟି ଅଗ୍ନିଶମ କର୍ମଚାରୀ ମାନେ ମୃତ ଡ୍ରାଇଭର ଜଣଙ୍କୁ ଉଦ୍ଧାର କରିଛନ୍ତି। ଏନେଇ ପରଜଙ୍ଗ ପୋଲିସ ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି। ଏନେଇ ସ୍ଥାନୀୟ ଲୋକ ରାସ୍ତା ଅବରୋଧ ମଧ୍ୟ କରିଛନ୍ତି ।