ଭୁବନେଶ୍ୱର: କମିଶନରେଟ୍ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ମେଡ଼ିକାଲ ପ୍ରବେଶିକା ପରୀକ୍ଷା ବା ଜାତୀୟ ଯୋଗ୍ୟତା ସହିତ ପ୍ରବେଶ ପରୀକ୍ଷା (ନିଟ୍) ପୂର୍ବରୁ ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ମାମଲା ଉପରୁ ପୋଲିସ ପରଦା ହଟାଇଛି । ଏହି ମାମଲାରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ କାମକରୁଥିବା ସ୍ପଷ୍ଟ ହୋଇଛି । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ରାଜ୍ୟରୁ ଓ ରାଜ୍ୟ ବାହାରୁ ମୋଟ ୪ ଜଣଙ୍କୁ ଗିରଫ କରିଛି । ଲକ୍ଷ ଲକ୍ଷ ଟଙ୍କାରେ ମେଡ଼ିକାଲ ସିଟ୍ ପାଇଁ ଡିଲ୍ କରୁଥିଲେ ବୋଲି ପୋଲିସ କମିଶନର ଦେବଦତ୍ତ ସିଂ ଶନିବାର ସୂଚନା ଦେଇଛନ୍ତି ।
କମିଶନରେଟ୍ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କମିଶନର ଶ୍ରୀ ସିଂ ସୂଚନା ଦେଇଛନ୍ତି ଯେ ମେଡ଼ିକାଲ ସିଟ୍ ବିକ୍ରି ମାମଲାରେ ୪ ଜଣ ଆନ୍ତଃରାଜ୍ୟ ଦଲାଲଙ୍କୁ ଗିରଫ କରାଯାଇଛି । ଓଡ଼ିଶାରୁ ୨ ଜଣ, ବିହାର ଓ ଝାଡ଼ଖଣ୍ଡରୁ ଜଣେ ଲେଖାଏଁ ଗିରଫ ହୋଇଛନ୍ତି । ଝାଡ଼ଖଣ୍ଡ ହଜାରୀବାଗର ପ୍ରିୟଦର୍ଶୀ କୁମାର, ବିହାର ଔରଙ୍ଗାବାଦ ବିହାର ଅରବିନ୍ଦ କୁମାର ଓ ଓଡ଼ିଶାର ୨ ଜଣ ଅଛନ୍ତି । ସ୍ପେସିଆଲ୍ କ୍ରାଇମ୍ ୟୁନିଟ୍ ଏମାନଙ୍କର ପର୍ଦ୍ଦାଫାସ୍ କରିବାରେ ସଫଳତା ହାସଲ କରିଛି । ଏମାନଙ୍କ ନିକଟରୁ ୧୦ ଲକ୍ଷ ଲେଖାଏଁ ୯୦ ଲକ୍ଷ ଟଙ୍କାର ଚେକ୍ ସହିତ ବ୍ଲାଙ୍କ୍ ଚେକ୍ ଜବତ କରାଯାଇଛି । ଆସନ୍ତା ମେଡ଼ିକାଲ କଲେଜ୍ ନାମଲେଖା ପାଇଁ ଡିଲ୍ ହୋଇଥିଲା । ଏମାନେ ନିଟ୍ ପରୀକ୍ଷାରେ ଅସଲି ବଦଳରେ ନକଲି ପରୀକ୍ଷାର୍ଥୀଙ୍କ ବସାଇଥାଆନ୍ତେ ବୋଲି ଜଣାପଡ଼ିଛି ।
ତେବେ ଏଥିରେ କେତେ ଦୂର ସଫଳ ହୋଇଥାଆନ୍ତେ ସେ ନେଇ ତଦନ୍ତ ଜାରି ରହିଛି । ଆସନ୍ତାକାଲି ହେବାକୁ ଥିବା ନିଟ୍ ପରୀକ୍ଷା ପୂର୍ବରୁ ବଡ଼ ଷଡ଼ଯନ୍ତ୍ରକୁ ଏଡ଼ାଇ ଦିଆଯାଇପାରିଛି ବୋଲି କହିଛନ୍ତି ସିପି । କେବଳ ପଇସା ଧରାଇ ଦେଲେ ମଧ୍ୟ ଏହି ଅପରାଧର ଭାଗୀଦାର ହେବେ ବୋଲି ଚେତାଇ ଦେଇଛନ୍ତି । ଏହାର ଚେର କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି ତାହାର ତଦନ୍ତ ଚାଲିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆସନ୍ତାକାଲି ((ମେ ୪) ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ସର୍ବଭାରତୀୟ ସ୍ତରରେ ୫୬୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।