କଟକ: କଟକ ଖାନନଗର ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି । ଏକ ନିର୍ମାଣଧୀନ ବ୍ରିଜ୍ ସ୍ଲାବ୍ ଖସି ପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଖାନନଗର ବସ୍ ଷ୍ଟାଣ୍ଡ୍ ନିକଟରୁ କିଛି ଦୂରରେ କାଠଯୋଡ଼ି ନଦୀ ଉପରେ ଏକ ଓଭରବ୍ରିଜ୍ ନିର୍ମାଣ ଜାରି ରହିଥିଲା । ବ୍ରିଜ୍ ଠାରୁ ଅଧ କିଲୋମିଟରର ଦୂରରେ ସ୍ପାନ୍ ତିଆରି ହୁଏ । ସେଠାରୁ କ୍ରେନ୍ ସାହାଯ୍ୟରେ ଅଣାଯାଉଥିବାବେଳେ ହଠାତ୍ କ୍ରେନ୍ ତାର ଛିଡ଼ି ପଡ଼ିଥିଲା । ଫଳରେ ତଳେ ଥିବା ଶ୍ରମିକଙ୍କ ଉପରେ ପଡ଼ିଯାଇଥିଲା । ଫଳରେ କିଛି ଶ୍ରମିକ ଫସିଯାଇଥିଲା । ୫ ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସରେ ଏସସିବିର ଜୁରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି । ଡାକ୍ତର ୨ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ୩ ଜଣ ଶ୍ରମିକଙ୍କ ଅବସ୍ଥାର ସଙ୍କଟାପନ୍ନ ରହିଥିଲା । ପରବର୍ତ୍ତୀ ସମୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ଗୁରୁତର ଆହତ ଓ ମୃତ ଶ୍ରମିକଙ୍କ ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି ।