ଭୁବନେଶ୍ୱର: ପରିବେଶ ସୁରକ୍ଷା ଏବଂ ସନ୍ତୁଳିତ ଜୀବନଯାପନ ପାଇଁ ପ୍ରଦୂଷଣ ହ୍ରାସ କରିବା, ପୃଥିବୀକୁ ସୁରକ୍ଷିତ ରଖିବା ଏବଂ ଅଶୋଧିତ ତୈଳ ଆମଦାନୀ ହ୍ରାସ କରି ବୈଦେଶିକ ମୁଦ୍ରା ସଂଚୟ କରିବା ପାଇଁ ସବୁଜ ଶକ୍ତିକୁ ଆପଣେଇବାକୁ ଆହ୍ୱାନ କରିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ।
ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜଭବନରେ ଶକ୍ତି ଭିତ୍ତିଭୂମିରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ ସଂପର୍କରେ ରାଜ୍ୟପାଳ ସୂଚନା ଦେଇଛନ୍ତି । ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଂଟ କାର୍ଯ୍ୟକ୍ଷମ ହୋଇଛି ଏବଂ ଖୁବ ଶୀଘ୍ର ଅତିରିକ୍ତ ୪୦୦ କିଲୋୱାଟ ପ୍ଲାଂଟ୍ ସ୍ଥାପିତ ହେବାକୁ ଯାଉଛି । ଏହା ରାଜ୍ୟପାଳଙ୍କ ବାସଭବନକୁ ଏକ ନେଟ୍-ଜିରୋ ଶକ୍ତି କ୍ୟାମ୍ପସ୍ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସବୁଜ ମିଶନକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଭାରତରେ ନିର୍ମିତ ଦୁଇ ଚକିଆ ଯାନ ଏବଂ ଅଫିସିଆଲ କାର୍ ପ୍ରଚଳନ କରାଯାଇଛି । ଏପରି ଅଗ୍ରଣୀ ପ୍ରୟାସ ସହିତ ରାଜଭବନ କେବଳ ସମଗ୍ର ଦେଶର ସରକାରୀ ପ୍ରତିଷ୍ଠାନ ପାଇଁ ଏକ ଉଦାହରଣ ସୃଷ୍ଟି କରୁନାହିଁ, ବରଂ ଶୀର୍ଷସ୍ତରରୁ ପରିବର୍ତ୍ତନ ଆରମ୍ଭ ହୁଏ ବୋଲି ସ୍ପଷ୍ଟ ବାର୍ତ୍ତା ଦେଉଛି ବୋଲି ରାଜ୍ୟପାଳ କହିଛନ୍ତି ।
ରାଜ୍ୟପାଳ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ଅନେକ ପ୍ରମୁଖ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ କୁସୁମ ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଏବଂ ୩ କିଲୋୱାଟ ସୌର ଶକ୍ତି ବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସର୍ବାଧିକ ସବ୍ସିଡ ବ୍ୟବସ୍ଥା ୧ଲକ୍ଷ ୩୮ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।
ରାଜ୍ୟରେ ଅଧିକ ଲୋକ ସୌର ଶକ୍ତି ବ୍ୟବସ୍ଥା ଆପଣେଇବା ନିମନ୍ତେ ଉତ୍ସାହିତ କରିବା ପାଇଁ ଅତିରିକ୍ତ ସବ୍ସିଡ ପ୍ରଦାନ କରିବା ଦିଗରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ ରାଜ୍ୟପାଳ ଡ. କମ୍ଭମ୍ପାଟି ପ୍ରଶଂସା କରିଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନବାହନ ବ୍ୟବହାର ପରିତ୍ୟାଗ କରି ବିଦ୍ୟୁତ ଚାଳିତ ଯାନବହାନ ବ୍ୟବହାର କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ଏହି ବାର୍ତ୍ତାକୁ ରାଜ୍ୟର ପ୍ରତି ପରିବାରରେ ପହଚାଂଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ରାଜ୍ୟପାଳ ଗଣମାଧ୍ୟର ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ, ରାଜଭବନର ଅଧିକାରୀ / କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଉଲ୍ଲେଖ ଯୋଗ୍ୟ, ରାଜ୍ୟପାଳ ଡ. କମ୍ଭମ୍ପାଟି କେବଳ ପ୍ରଥମ ଥର ପାଇଁ ନବୀକରଣୀୟ ଶକ୍ତିର ସମର୍ଥନ କରିନାହାନ୍ତି । ୨୦୧୪ ମସିହାରେ ସାଂସଦ ଥିବା ବେଳେ ସଂସଦରେ ତାଙ୍କର ପ୍ରଥମ ଅଭିଭାଷଣ ସମୟରେ ସ୍ଥାୟୀ ଶକ୍ତି ସମାଧାନ ପାଇଁ ନବୀକରଣୀୟ ଶକ୍ତିର ଉପଯୋଗକୁ ଦୃଢ଼ ସମର୍ଥନ କରିଥିଲେ ।