ଭୁବନେଶ୍ୱର: ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ତାହାକୁ ଜଗନ୍ନାଥ ଧାମ ନାମରେ ନାମିତ କରିବାକୁ ନେଇ ସାରା ରାଜ୍ୟରେ ଏବେ ଅସନ୍ତୋଷର ବାତାବରଣ ଦେଖା ଦେଇଛନ୍ତି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ଏହା ବଡ଼ କୁଠାରଘାତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏହାରି ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନାଁ ନେଇ ମମତା ବାନାର୍ଜୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଯିଏ ଖେଳ ଖେଳୁଛନ୍ତି, ସିଏ ତାର ଫଳ ନିଶ୍ଚିତ ଭୋଗିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଯିଏ ହିନ୍ଦୁ ସଂସ୍କୃତି, ପରମ୍ପରା ସହ ଖେଳିବ, ସିଏ ଫଳ ଭୋଗିବ । ଆମେ ସମସ୍ତେ ଜାଣିଛେ ପ୍ରଭୁ ଜଗନ୍ନାଥଙ୍କ ଧାମ କେଉଁଠି । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ କେଉଁଠି ଧାମ କରିବା, କେଉଁଠି ଶଙ୍କରାଚାର୍ଯ୍ୟ ରଖିବା । ଏଥିପାଇଁ ହିନ୍ଦୁ ସଂସ୍କୃତିରେ ଅଲଗା ପରମ୍ପରା ରହିଛି । ଏବେ ଯିଏ ଖେଳ ଖେଳୁଛନ୍ତି, ସିଏ ତାର ଫଳ ଭୋଗିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଭାତୀ ।
ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଧାମ ସହ ଅନ୍ୟ ମନ୍ଦିରକୁ ତୁଳନା କରିବା ଅଗ୍ରହଣୀୟ । ଅନ୍ୟ ଯେଉଁ ସ୍ଥାନରେ ମନ୍ଦିର ହୋଇପାରେ କିନ୍ତୁ ଧାମର ଆଖ୍ୟା ଦିଆଯାଇପାରିବ ନାହିଁ । ଜଗନ୍ନାଥ ଧାମ କେବଳ ପୁରୀ । ଅନ୍ୟ କେଉଁ ସ୍ଥାନରେ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ହେଲେ କୌଣସି ସମସ୍ୟା ନାହିଁ । କିନ୍ତୁ ଶ୍ରୀମନ୍ଦିରର ମହାପ୍ରଭୁଙ୍କ ସେବାୟତ ଦୀଘା ଯାଇ ପ୍ରତିଷ୍ଠା କାର୍ଯ୍ୟ କରିବା, ମହାପ୍ରଭୁଙ୍କ ବଳକା ଦାରୁକାଠ ସେଠାରେ ବ୍ୟବହାର ହେବା ଆଦୌ ଗ୍ରହଣୀୟ ନୁହେଁ । ମହାପ୍ରଭୁଙ୍କ ଦାରୁ କିପରି ଦୀଘା ଗଲା, ତାହା ତଦନ୍ତ ହେଲା ପରେ ସବୁ ସ୍ପଷ୍ଟ ହେବ ଏବଂ ତଦନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ସେପଟେ ଏ ନେଇ ଆଜି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଜପତିଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଛନ୍ତି । ଶାସ୍ତ୍ରୀୟ ମତ ଅନୁସାରେ ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ । ପଶ୍ଚିମବଙ୍ଗ ଦୀଘା ନୂଆ ମନ୍ଦିରରେ ଏଭଳି ଜଗନ୍ନାଥ ଧାମ ନାମ ବ୍ୟବହାର ଓ ପ୍ରଚାର ହିନ୍ଦୁ ଧର୍ମର ସଂସ୍କୃତି, ପ୍ରଥା ପରମ୍ପରା ପ୍ରତି ଧାର୍ମିକ ଦ୍ଵନ୍ଦ୍ଵ ସୃଷ୍ଟି କରିବ । ଆଉ ଧାର୍ମିକ ଭାବନାର ବିରୋଧରେ ଯିବ ବୋଲି ଲେଖିଛନ୍ତି ସୁଦର୍ଶନ । ତେଣୁ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସୁଦର୍ଶନ ଗଜପତି ମହାରାଜାଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ।