ଭୁବନେଶ୍ଵର: ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ନେଇ ସରକାର ଯେତେ ସଚେତନ ହେଉଥିଲେ ମଧ୍ୟ ଏହା ହ୍ରାସ ପାଇବାରେ ନା ଗନ୍ଧ ଧରୁ ନାହିଁ । ଏମିତିକି ସଡ଼କ ସୁରକ୍ଷା ମାସରେ ଯାଇଛି ୫ ଶହରୁ ଉର୍ଦ୍ଧ୍ୱ ଜୀବନ । ଆଜି ବିଧାନସଭାରେ ଗୃହରେ ଏଭଳି କିଛି ଉତ୍ତର ରଖିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପଚାରିଥିବା ପ୍ରଶ୍ନ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା କହିଛନ୍ତି, ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୋଟ ୫୪୩୩ଜଣଙ୍କ ମୃତ୍ୟୁ ଘଟିଛି । ପାଞ୍ଚ ବର୍ଷରେ ହାରାହାରି ବାର୍ଷିକ ସଡ଼କ ଦୁର୍ଘଟଣା ସଂଖ୍ୟା ୧୧ ହଜାର ୩୬୬ । ଦୁର୍ଘଟଣାରେ ୧୦ ହଜାର ଆଠ ଜଣ ଆହତ ହୋଇଛନ୍ତି । ଏମିତିକି ସଡ଼କ ସୁରକ୍ଷା ମାସରେ ସଡ଼କ ଦୁର୍ଘଟଣାରେ ୫୦୫ଙ୍କର ମୃତ୍ୟୁ ହୋଇଛି । ମାତ୍ର ଗୋଟିଏ ମାସରେ ସାରା ରାଜ୍ୟରେ ୮୪୮ ଦୁର୍ଘଟଣା ହୋଇଛି । ଏଥିରେ ୪୭୨ ଜଣ ଆହତ ହୋଇଥିଲେ। ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି ୮୯ ଲକ୍ଷ ୬୬ ହଜାର ୬୯୪ ଟଙ୍କା ।