ପୁରୀ: ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି । କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ପଞ୍ଚ ସୂତ୍ରୀ କାର୍ଯ୍ୟାବଳୀ । ଶ୍ରୀମନ୍ଦିର ପ୍ରଶାସନର ସବୁ ଅଧିକାରୀ ଓ କର୍ମଚାରୀଙ୍କ ଲାଗି ନିର୍ଦ୍ଦେଶାବଳୀ ଜାରି ହୋଇଛି । ମନ୍ଦିର କାର୍ଯ୍ୟର କ୍ରିୟାଶୀଳ ଏବଂ ଉତ୍ତରଦାୟୀ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିବା ପାଞ୍ଚ ନିୟମ ହେଲା, ପ୍ରଥମରେ ୨୦୨୪ ବର୍ଷ ପାଇଁ ଶ୍ରୀମନ୍ଦିର ସମସ୍ତ କର୍ମଚାରୀମାନେ ନିଜର ସମ୍ପତ୍ତି ତାଲିକା ଦାଖଲ କରିବେ । ଜାନୁୟାରୀ ମାସ ଶେଷ ସୁଦ୍ଧା ନିଜର ସମ୍ପତ୍ତି ତାଲିକା ଦାଖଲ କରିବେ କର୍ମଚାରୀ । ଯଦି ସମ୍ପତ୍ତି ତାଲିକା ନ ଦିଅନ୍ତି ତେବେ ଦରମା ବୃଦ୍ଧି, ପଦୋନ୍ନତି ଏବଂ ପୁରସ୍କାର ବନ୍ଦ କରାଯିବ । କୌଣସି ବି ଆର୍ଥିକ ପ୍ରୋତ୍ସାହନ ମିଳିବ ନାହିଁ ।
ଦ୍ୱିତୀୟରେ ଡ୍ୟୁଟି ସମୟରେ କୌଣସି କର୍ମଚାରୀ ମାଦକ୍ୟ ଦ୍ରବ୍ୟ ବ୍ୟବହାର କରି ପାରିବେ ନାହିଁ । ଯଥା ପାନ ଗୁଟୁଖା ଭଳି ମାଦ୍ରକ ଦ୍ରବ୍ୟ ସେବନ କରି ପାରିବେ ନାହିଁ । ତୃତୀୟ ନିୟମ ହେଲା ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ । ଚତୁର୍ଥରେ ପ୍ରତି ଶୁକ୍ରବାର ସମସ୍ତେ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟକୁ ଆସିବେ । ୟୁନିଫର୍ମ ପୋଷାକଧାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ । ଶେଷରେ ଶ୍ରୀମନ୍ଦିର ଭିତର ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।
ତେବେ ପୂର୍ବରୁ ମଧ୍ୟ ମାଦକ ଦ୍ରବ୍ୟ ଏବଂ ମୋବାଇଲ ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଏହାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇ ନ ଥିବା ଦେଖାଯାଇଥିଲା ।