ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଉପକୃତ ହୋଇଛନ୍ତି ଚାଷୀ । ଏହି ଯୋଜନାରେ ୩୧,୫୧,୭୦୦ ଚାଷୀ ଉପକୃତ ହୋଇଛନ୍ତି । ଏ ନେଇ ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି କୃଷି ବିଭାଗ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ଆଜି ଗୃହ ଆରମ୍ଭରୁ ବିରୋଧୀ ଦଳ ବିଜେଡ଼ି ସଦସ୍ୟମାନେ ମିଶନ ଶକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଗୃହ ଆରମ୍ଭରୁ ହିଁ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ହୋହାଲ୍ଲା କରିଥିଲେ । ତେବେ ଏହାରି ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ କୃଷି ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ । ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ, ୯ ଲକ୍ଷ ୫ ହଜାର ୧୮୪ ଭାଗଚାଷୀ, ୮ ଲକ୍ଷ ୮୭ ହଜାର ୨୭୨ ଜଣ କ୍ଷୁଦ୍ର ଚାଷୀ ଓ ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ର ଚାଷୀ ଅଛନ୍ତି । ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(PM KISAN) ରେ ୩୧,୫୧,୭୦୦ ଚାଷୀ ଉପକୃତ ହୋଇଛନ୍ତି ।
ସେହିଭଳି ସିଏମ କିଷାନ ମାଧ୍ୟମରେ ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩୯, ୩୦୩ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି , ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୫,୧୭,୦୦୦ ଚାଷୀ ଖରିଫରେ ଓ ୧.୮୩ ଲକ୍ଷ ଚାଷୀ ରବିରେ ପଞ୍ଜୀକରଣ କରିଛନ୍ତି ।